ଡିନାମାଇଟରେ ବନ୍ଧ ଉଡାଇବା ଘଟଣାରେ ନୋଟିସ ପରେ ତେଜିଲା ରାଜନୀତି । ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ । ବିଜେପି କହିଲା, ଜାତୀୟ ସୁରକ୍ଷା ଆଇନରେ ରୁଜୁ ହେଉ ମାମଲା । ବିଜେଡିର ଜବାବ, ଅଭିଯୋଗ ପ୍ରମାଣିତ ହେବା ଦରକାର ।

221

କନକ ବ୍ୟୁରୋ : ଯାଜପୁରରେ ବନ୍ୟା ସମୟରେ କେଲୁଅ ନଦୀ ବନ୍ଧକୁ ଡିନାମାଇଟ୍ ଲଗାଇ ବିସ୍ଫୋରଣରେ ଉଡାଇ ଦେବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଡିସେମ୍ୱର ୧୨ ତାରିଖରେ ମାମଲାର ପରବର୍ତି ଶୁଣାଣି ହେବ ।

ଡିନାମାଇଟ ଲଗାଇ ବନ୍ଧ ଇଡାଇବା ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ ହେବା ପରେ ରାଜନୀତି ଆରମ୍ଭ ହୋଇଛି । ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଧର୍ମଶାଳା ବିଧାୟକ ଓ ଇଞ୍ଜିନିୟର ନରେନ ଜେନାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ହେବା ଦରକାର । ପଚାଶ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନ୍ଧକୁ ପ୍ରତିବନ୍ଧିତ ଡିନାମାଇଟ ଲଗେଇ ଦେଇଛନ୍ତି । ସବୁ ତଥ୍ୟ ପ୍ରମାଣ ଦେଇ ଅଭିଯୋଗ କରିଥିଲେ କିନ୍ତୁ ସରକାର ଦୋଷୀକୁ ଘଂଟ ଘୋଡାଇବାକୁ ଚେଷ୍ଟା କଲେ । ଏବେ ଲୋକାୟୁକ୍ତ ନୋଟିସକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଲେଖାଶ୍ରୀ ।

ସେପଟେ ବିଜେଡି ପ୍ରତିକ୍ରିୟା ଦେଇ କହିଛି, ଅଭିଯୋଗ ବହୁତ ସମୟରେ ହୁଏ । କିନ୍ତୁ ଅଭିଯୋଗ ପ୍ରମାଣିତ ହେବା ଦରକାର । ଲୋକାୟୁକ୍ତ ଏକ ଜୁଡିସିଆଲ ବଡି । କେନ୍ଦ୍ରୀୟ ଆଇନ ବଳରେ ଏହା ପ୍ରତିଷ୍ଠା କରାଯାଇଛି । ଅଭିଯୋଗର ବିଚାର ହେବାକୁ ଦିଆଯାଉ ତାପରେ ସତ୍ୟତା ଆପେ ପଦାକୁ ଆସିବ । ସବୁ କ୍ଷେତ୍ରରେ ସନ୍ଦେହ କଲେ ସତ୍ୟ ଜାଣିନପାରି କୁହେଳିକା ଭିତରେ ରହିଯିବ ।