ଲକଡାଉନରେ ବାହାଘର ପାଇଁ କଡା ନିୟମ : ଏଣିକି ବାହାଘରରେ ୨୫ ଜଣଙ୍କୁ ଅନୁମତି; ଭୋଜିଭାତ ମନା

405

କନକ ବ୍ୟୁରୋ : ରାଜ୍ୟରେ ଲକଡାଉନ୍ ସମୟସୀମାକୁ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲଡଡାଉନରେ ବାହାଘର ପାଇଁ କଡା ନିୟମ ଲାଗୁ କରାଯାଇଛି । ଏଣିକି ବାହାଘରରେ ୫୦ଜଣ ବଦଳରେ ୨୫ ଜଣଙ୍କୁ ଅନୁମତି ମିଳିବ । ପୂଜକ, ବରପକ୍ଷ, କନ୍ୟାପକ୍ଷ ସମସ୍ତଙ୍କୁ ମିଶାଇ ୨୫ ଜଣଙ୍କୁ ମିଳିବ ଅନୁମତି ଦିଆଯିବ ।

ସବୁଠାରୁ ବଡ କଥା ହେଉଛି ବାହାଘରରେ ଭୋଜିଭାତରେ କଟକଣା ଲାଗିଛି । ବିବାହ ବ୍ୟତୀତ ବ୍ରତଘର, ଶୁଦ୍ଧିକ୍ରିୟାରେ ମଧ୍ୟ ଭୋଜି ମନା କରାଯାଇଛି । କିନ୍ତୁ ଏହି ସମୟରେ ପ୍ୟାକେଟ କରି ଅତିଥିଙ୍କୁ ଖାଇବା ପଠାଇ ପାରିବେ । ଭୋଜିଭାତ ଦ୍ୱାରା ସଂକ୍ରମଣ ବଢୁଥବାର ଆଶଙ୍କା କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିଭଳି ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ଜନସାଧାରଣଙ୍କୁ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା ସମୟ ମିଳିବ । ସକାଳ ୭ରୁ ୧୧ଟା ଭିତରେ ଲୋକେ ପନିପରିବା ଓ ସଉଦା ଆଦି କିଣିପାରିବେ ।  ଘରଠାରୁ ୫୦୦ ମିଟର ଭିତରେ ଚାଲି ଚାଲି ଯାଇ କିଣିପାରିବେ ।