ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ । ଜୁନ୍ ୧ ସକାଳ ୫ଟା ଯାଏଁ ରହିବ କଟକଣା, ବଦଳିଲା ଦୋକାନ ବଜାର ଖୋଲିବା ସମୟ

324

କନକ ବ୍ୟୁରୋ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ । ଜୁନ୍ ୧ ସକାଳ ୫ଟା ଯାଏଁ ବଳବତର ରହିବ କଟକଣା । ଏହାସହ ଆଜିଠାରୁ ବଦଳିଛି ଦୋକାନ ବଜାର ଖୋଲିବା ସମୟ । ନୂଆ ନିଷ୍ପତି ଅନୁସାରେ ସୋମବାରରୁ ଶୁକ୍ରବାର ୪ଘଂଟା କୋହଳ କରାଯାଇଛି କଟକଣା । ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ସକାଳ ୭ଟାରୁ ୧୧ଟା ଯାଏଁ ଅନୁମତି ଦିଆଯାଇଛି । ୫ଶହ ମିଟର ଭିତରେ ଚାଲିଚାଲି ଯାଇ କିଣିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ ।

ମଙ୍ଗଳବାରଦିନ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି କହିଛନ୍ତି, ଭିଡକୁ ନିୟନ୍ତ୍ରଣ କରିବା ବର୍ତମାନର ସବୁଠାରୁ ବଡ କାମ । ଏବଂ ଏଥିପାଇଁ ଲକଡାଉନ୍ ନିହାତି ଆବଶ୍ୟକ । ଓଡିଶାରେ ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ପ୍ରାୟ ୨ ସପ୍ତାହ ହେଲାଣି, ସଂକ୍ରମଣ ପ୍ରାୟ ୧୦ ହଜାର ଆଖପାଖରେ ରହୁଛି । ଏହାକୁ ବିଶେଷଜ୍ଞମାନେ ପ୍ଲାଟିଉ ସ୍ଥିତି ବୋଲି କହୁଛନ୍ତି । ବ୍ରତ, ଜନ୍ମଦିନ ଓ ଶୁଦ୍ଧିକ୍ରିୟାରେ ୨୦ଜଣଙ୍କୁ ଅନୁମତି ଦିଆଯାଇଛି । ପୂର୍ବରୁ ବିବାହ ଉତ୍ସବରେ ୫୦ଜଣଙ୍କୁ ଅନୁମତି ଥିବା ବେଳେ ଏହାକୁ କମାଇ ଦିଆଯାଇ ୨୫ଜଣଙ୍କୁ ଅନୁମତି ଦିଆଯିବ । ଏପରିକି ବିବାହରେ ହୋଇପାରିବନି ଭୋଜିର ଆୟୋଜନ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ମଧ୍ୟ ଭୋଜିଭାତ ମନା । କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ଆୟୋଜକ ।