ହଲିଉଡ ଫିଲ୍ମ ‘ଏଭେଞ୍ଜର୍ସ ଏଣ୍ଡ ଗେମ୍’ର ଓଡିଶା ଲିଙ୍କ୍ । ଫିଲ୍ମର ସଫଳତା ପଛରେ ରହିଛି ଓଡିଆ ଝିଅ ମିତାଙ୍କ ହାତ ।

3,438

କନକ ବ୍ୟୁରୋ : ହଲିଉଡ ଫିଲ୍ମ ଏଭେଞ୍ଜର୍ସ ଏଣ୍ଡ ଗେମ୍ ରେ ଓଡିଶା ଲିଙ୍କ୍ । ବକ୍ସ ଅଫିସରେ ଧମାଲ ମଚାଇଥିବା ଏହି ଫିଲ୍ମର ସଫଳତା ପଛରେ ମଧ୍ୟ ଜଣେ ଓଡିଆ ଝିଅଙ୍କ ହାତ ରହିଛି । ଏହି ଫିଲ୍ମର ସଫଳତା ପଛରେ ଅନେକ ବିନ୍ଧାଣୀଙ୍କ ମଧ୍ୟରୁ ଓଡିଆ ଝିଅ ମିତା ମଧ୍ୟ ଅନ୍ୟତମ । ଫିଲ୍ମ ଦେଖିଥିବା ଦର୍ଶକଙ୍କ ପାଇଁ ଏହି ନାଁଟି ଅପରିଚିତ ହୋଇଥିବ ନିଶ୍ଚୟ । କାରଣ ବଡ ବଡ ଷ୍ଟାରକାଷ୍ଟକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ପ୍ରଚ୍ଛଦପଟରେ ରହି ମିତା ଯେଉଁ କାର୍ଯ୍ୟ କରିଛନ୍ତି ତାହା ଓଡିଶାକୁ ଗର୍ବିତ କରିଛି ।

ମିତା ଦାଶ । ପୂର୍ବରୁ ସମସ୍ତଙ୍କ ପାଇଁ ଅଜଣା ଥିବା ଏହି ନାଁଟି ହଲିଉଡ ଫିଲ୍ମ ଏଭେଞ୍ଜର୍ସ ଏଣ୍ଡ ଗେମ ରିଲିଜ ହେବା ପରେ ଚର୍ଚ୍ଚାକୁ ଆସିଛି । ଟିଟିଲାଗଡ ମାଟିର ଝିଅ ମିତାଙ୍କୁ ନେଇ ଏବେ ଓଡିଶା ଗର୍ବିତ । ଯେଉଁ ହଲିଉଡ ଫିଲ୍ମର ଭିଜୁଆଲ ଇଫେକ୍ଟ ଦେଖି ଦର୍ଶକଙ୍କ କରତାଳିରେ ପୂରା ଫିଲ୍ମ ହଲ୍ ଫାଟି ପଡୁଥିଲା ତାହା ପଛରେ ଥିଲା ଓଡିଶା ଝିଅ ମିତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ମନୋବଳ । ହଲିଉଡ ଫିଲ୍ମ ଏଭେଞ୍ଜର୍ସ ଏଣ୍ଡ ଗେମରେ ଭିଜୁଆଲ ଇଫେକ୍ଟ ଦେଇଛନ୍ତି ଟିଟିଲାଗଡର ଝିଅ ମିତା ଓ ତାଙ୍କର ସହଯୋଗୀ ।

ଏହି ସଫଳତା ହାସଲ କରିବା ପାଇଁ ମଧ୍ୟ ମିତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି । ଏକ ସାଧାରଣ ପରିବାରରୁ ଆସିଥିବା ମିତା ଦାଶଙ୍କ ବାପା ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରନ୍ତି । ବାଙ୍କେଲ ଗାଁ ହାଇସ୍କୁଲରୁ ମାଟ୍ରିକ ଓ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱର ଚାଲିଆସିଥିଲେ ମିତା । ୩ ବର୍ଷ ଆନିମେସନ କୋର୍ସ କରିବା ପରେ ଫିଲ୍ମ ଦୁନିଆ ସହ ଯୋଡି ହୋଇଥିଲେ ମିତା । ପ୍ରଥମେ ପୁନେର ଏକ କମ୍ପାନିରେ ଚାକିରି କରିବା ସମୟରେ ବିଭିନ୍ନ ଫିଲ୍ମ ପାଇଁ ଭିଜୁଆଲ ଇଫେକ୍ଟ ତଥା ଆନିମେସନ କାମ କରିଥିଲେ । ପରେ ପୁନେରୁ ଚାକିରି ଛାଡି ହାଇଦ୍ରାବାଦର ଡିଜିଟାଲ ଡୋମେନ କମ୍ପାନିରେ ନିଜ ଚାକିରି କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିଥିଲେ ମିତା । ଯେଉଁଠୁ ବଦଳିଥିଲା ମିତାଙ୍କ ଯାତ୍ରା ।

ସଫଳତା ମିତାଙ୍କ ବାଟ ଚାହିଁ ବସିଥିଲା । କେବଳ ଅପେକ୍ଷା ଥିଲା ଗୋଟିଏ ଭଲ ସୁଯୋଗକୁ । ଏଭେଞ୍ଜର୍ସ ଏଣ୍ଡ ଗେମ ଫିଲ୍ମ ପକ୍ଷରୁ ମିତାଙ୍କୁ ମିଳିଥିଲା ଏହି ସୁଯୋଗ । ଏହି ଫିଲ୍ମରେ ଭିଜୁଆଲ ଇଫେକ୍ଟ ଦେବାକୁ ଅଫର ପାଇଥିଲେ ମିତା । ଆଉ ଏହାପରେ ଆରମ୍ଭ ହୋଇଥିଲା ମିତାଙ୍କ ମିଶନ । କଠିନ ପରିଶ୍ରମ ଓ ଦୃଢ ମନୋବଳ ସହ ଦିନରାତି ଏକ କରି ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ ମିତା । ନିଜର କାର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଜି ଜାନ ଲଗାଇ ଦେଇଥିଲେ ମିତା । ଯାହାର ଫଳ ଫିଲ୍ମଟି ରିଲିଜ ହେବା ପରେ ଫିଲ୍ମ ହଲରେ ଦର୍ଶକଙ୍କ କରତାଳିରେ ଦେଖିବାକୁ ମିଳିଥିଲା । ରାମସେତୁ ନିର୍ମାଣରେ ଗୁଣ୍ଡୁଚି ମୂଷା ଭଳି ଏଭେଞ୍ଜର୍ସ ଏଣ୍ଡ ଗେମ ଫିଲ୍ମର ସଫଳତା ପଛରେ ମଧ୍ୟ ମିତାଙ୍କର ବଡ ଭୂମିକା ରହିଛି । ଫିଲ୍ମର ପ୍ରଚ୍ଛଦପଟରେ ରହି ମିତା ଯେଉଁ କାର୍ଯ୍ୟ କରିଛନ୍ତି ତାହା ଟିଟିଲାଗଡ ସମେତ ଓଡିଶାକୁ ଗର୍ବିତ କରିଛି ।