ମୁ୍ମ୍ବାଇ ଡଗ୍ସ ମାମଲାର ଓଡିଶା ଲିଙ୍କ୍ ନେଇ ନୂଆ ତଥ୍ୟ : କ୍ରୁଜ ଭିତରେ ଅନ୍ୟଏକ ଡ୍ରଗ୍ସ ପାର୍ଟିରେ ସାମିଲ ଥିଲେ ୨ ଓଡିଆ ଯୁବକ

ଆରୟନ ଖାନଙ୍କ ପାର୍ଟି ଉପରେ ଚଢ଼ାଉ ବେଳେ ଏନସିବି ହାତରେ ପଡ଼ିଥିଲେ ଅଭିନ ସାହୁ ଓ ମନୀଷ ରାଜଗରିଆ

90

କନକ ବ୍ୟୁରୋ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଦୁଇ ଓଡ଼ିଆ ଅଭିନ୍ ସାହୁ ଓ ମନୀଷ ରାଜଗରିଆ । ଏମାନଙ୍କୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଏମାନେ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ସାମିଲ ହୋଇଥିବା ପାର୍ଟିରେ ଯୋଗଦେଇନଥିଲେ । କ୍ରୁଜରେ ଚାଲିଥିବା ଆଉ ଏକ ପାର୍ଟରେ ସାମିଲ ଥିଲେ ଏମାନେ । ଯାହାର ଏଂଟ୍ରି ଫି’ ଥିଲା ୫୦ ହଜାର ଟଙ୍କା । ୧୫ ଜଣିଆ ଗ୍ରୁପକୁ ନେଇ ଏହି ପାର୍ଟିର ଆୟୋଜନ କରାଯାଇଥିଲା । ଆଉ ଏଥିରେ ୮ରୁ ୯ ଜଣ ରାଉରକେଲାର ଯୁବକ ଥିଲେ ।

ସବୁଠୁ ବଡ଼ କଥା ହେଉଛି ଏହି ପାର୍ଟିକୁ ହୋଷ୍ଟ କରୁଥିଲେ ରାଉରକେଲାର ଜଣେ ଯୁବକ । ତାଙ୍କର ବିବାହ ପୂର୍ବରୁ ସେ କ୍ରୁଜରେ ବେଚଲର ପାର୍ଟି ଦେଉଥିଲେ । କୁହାଯାଉଛି ଏନସିବି ରେଡ୍ କରିବା ସମୟରେ ଅଭିନ୍ ଓ ମନୀଷ ନିଶାଶକ୍ତ ଅବସ୍ଥାରେ ଥିଲେ । ଅନ୍ୟମାନେ ପଳାଇଯାଇଥିବା ବେଳେ କ୍ରୁଜରେ ଆୟୋଜିତ ଅନ୍ୟ ଏକ ପାର୍ଟିରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ସାମିଲ ହୋଇଥିବାରୁ ତାଙ୍କ ସହ ଫଟୋ ଉଠାଇଥିବା ପାଇଁ ରହିଯାଇଥିଲେ । ଆଉ ଏନ୍ସିବି ହାତରେ ଧରାପଡ଼ିଯାଇଥିଲେ । ମନୀଷ ପକେଟରୁ ୨.୪ ଗ୍ରାମ୍ ଗଞ୍ଜେଇ ଜବତ କରିଛି ଏନସିବି । ସେହିପରି ଅଭିନ୍ କ୍ରୁଜରେ ୨ ଥର ଗଞ୍ଜେଇ ଟାଣିଥିବା ଏନସିବି ଆଗରେ ସ୍ୱୀକାର କରିଛି ।