ମୁମ୍ବାଇ ଡ୍ରଗ୍ସ ମାମଲାର ଓଡିଶା ଲିଙ୍କ୍ । କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ରାଉରକେଲାର ୨ ଗିରଫ ।

237

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ଓଡିଶା ଲିଙ୍କ୍ । ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଗିରଫ ହୋଇ ଏନସିବି ରିମାଣ୍ଡରେ ଥିବାବେଳେ ଦୁଇଜଣ ଓଡିଆ ବି ଗିରଫ ହୋଇଛନ୍ତି । ଏମାନେ ହେଲେ ଅଭିନ୍ନ ସାହୁ ଓ ମନୀଷ ରାଜଗରିଆ । ଏମାନଙ୍କ ଘର ରାଉରକେଲାରେ ବୋଲି ଜଣାପଡିଛି । ଶନିବାର ରାତିରେ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଏହି ଦୁଇଜଣ ସାମିଲ ହୋଇଥିଲେ । ଗିରଫ ହୋଇଥିବା ୧୬ ମଧ୍ୟରେ ଏହି ଦୁଇଜଣ ଓଡିଆ ଥିବା ଜଣାପଡିଛି । ତେବେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ସ ପାର୍ଟି ହେଉଥିବା ନେଇ ଏନସିବିକୁ ସୂଚନା ମିଳିଥିଲା । ଏହାପରେ ଏନସିବିର ସ୍ପେଶାଲ୍ ଟିମ୍ ଯାତ୍ରୀ ସାଜି ଏହି କ୍ରୁଜରେ ସାମିଲ ହୋଇଥିଲେ । ଯେତେବେଳେ କ୍ରୁଜ ଭିତରେ ଡ୍ରଗ୍ସର ପସରା ମେଲିଥିଲା , ସେତେବେଳେ ହଠାତ ଚଢାଉ କରିଥିଲା ଏନସିବି । ଏହି ସମୟରେ କ୍ରୁଜ ଭିତରେ ସାମିଲ ଥିଲେ ଶାହରୁଖଙ୍କ ପୁଅ ଆରୟନ । ତେବେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ଭିତରେ ଏବେ ଦୁଇ ଓଡିଆ ସାମିଲ ଥିବା ନେଇ ମଧ୍ୟ ଖବର ମିଳିଛି ।