ଭାରତର ଜହ୍ନ ଅଭିଯାନରେ ସାମିଲ ହୋଇଛି ଓଡିଶା: ଚନ୍ଦ୍ରାୟନ-୨ରେ ଲାଗିଥିବା କିଛି ଯନ୍ତ୍ରାଂଶ ଓଡିଶାରେ ହୋଇଛି ନିର୍ମାଣ

173

କନକ ବ୍ୟୁରୋ: ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା, କେଇ ଘଣ୍ଟାର ପ୍ରତୀକ୍ଷା । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ଭାରତ ଯେତେବେଳେ ଜହ୍ନମାମୁକୁ ଯାତ୍ରା କରିବ ସେତେବେଳେ ସେ ସମୟ ହେବ ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ସମୟ । ସେ ମୁହୂର୍ତ୍ତ ହେବ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । କାରଣ ଆସନ୍ତାକାଲି ଭୋର ୨ଟା ୫୧ ମିନିଟରେ ହିଁ ଆରମ୍ଭ ହେବ ଭାରତର ଚନ୍ଦ୍ର ଅଭିଯାନ । ମହାକାଶକୁ ଯିବ ଚନ୍ଦ୍ରାୟନ-୨ ।


ତେବେ ଚନ୍ଦ୍ରାୟନ-୨ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ୍ । ସେହି ଐତିହାସିକ ମୂହୂର୍ତକୁ ଅପେକ୍ଷା କରଛନ୍ତି ଭାରତୀୟ ବୈଜ୍ଞାନିକମାନେ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଚନ୍ଦ୍ରାୟନ-୨ ନିର୍ମାଣରେ ଓଡ଼ିଶା କନେକ୍ସନ୍ । ଏହି ଅନ୍ତରୀକ୍ଷ ଯାନକୁ ଉତ୍କ୍ଷେପଣ ପାଇଁ ବ୍ୟବହାର ହେବାକୁ ଥିବା କ୍ରାଓଜେନିକ ରକେଟ ଜିଏସଏଲଭି- ଏକେ-୩ର କିଛି ଯନ୍ତ୍ରାଂଶ ଓଡିଶାରେ ନିର୍ମାଣ କରାଯାଇଛି । ଭୁବନେଶ୍ୱରର ସିଟିଟିସିରେ ବ୍ୟବହାର ହେଉଥିବା ପ୍ରାୟ ୨୨ ପ୍ରକାର ଫୁଏଲ ଭଲ୍ବ ନିର୍ମାଣ ହୋଇଛି ।

ସେପଟେ ରୋଭର ପ୍ରଜ୍ଞାନରେ ଲାଗିଥିବା ‘ଲିମ୍ବସ୍’ ମଧ୍ୟ ସେଂଟ୍ରାଲ ଟୁଲ୍ସ ଆଣ୍ଡ ଟ୍ରେନିଂ ସେଂଟର ବା ସିଟିଟିସି ନିର୍ମାଣ କରିଛି । ରୋଭରର ୬ଟି ଲିମ୍ବସ୍ ବା ଗୋଡରେ ଚକ ଲାଗିଛି । ଲାଣ୍ଡରରୁ ଅଲଗା ହେବା ପରେ ଲିମ୍ବସ୍ରେ ଲାଗିଥିବା ଚକ ଜରିଆରେ ଗତି କରିବ ରୋଭର । ତେବେ ଏହି ଯନ୍ତ୍ରାଂଶ ନିର୍ମାଣ ପାଇଁ ମାର୍ଚ୍ଚ ୨୦୧୭ରୁ କାର୍ଯ୍ୟ କରୁଥିଲା ସିଟିଟିସି । ପ୍ରାୟ ୧୫୦ ଜଣ ଏଥିରେ ନିୟୋଜିତ ହୋଇଥିଲେ ।