ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

308

କନକ ବ୍ୟୁରୋ : ୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ । ଏହାବ୍ୟତୀତ ୧୦ରୁ ୧୨ତାରିଖ ଯାଏ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲ୍‌କା ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ଓଡ଼ିଶାର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି । ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିରୁ କମ୍‌ ରହିଥିଲା ବେଳେ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରିଛି । ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି । ସେହିପରି ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଫୁଲବାଣୀଠାରେ ରାତ୍ରି ତାପମାତ୍ରା ୧୧.୫ ଡିଗ୍ରି, କୋରାପୁଟରେ ୧୨ଡିଗ୍ରି, କେନ୍ଦୁଝରରେ ୧୩ଡିଗ୍ରି, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୪.୨ଡିଗ୍ରି, ଟିଟିଲାଗଡ଼ ଓ ସୋନପୁରରେ ୧୪.୮ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି ।

ଅପରପକ୍ଷେ ରାଜ୍ୟରେ ଏହି ସମୟରେ ରହୁଥିବା ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ଏବେ ସର୍ବନିମ୍ନ ରାତ୍ରି ତାପମାତ୍ରା କମ୍‌ ରହିଛି । ଟିଟିଲାଗଡ଼ର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୪.୩ ଡିଗ୍ରି କମ୍‌ ରହିଛି। ସେହିଭଳି ଝାରସୁଗୁଡ଼ାର ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ବର୍ତ୍ତମାନର ରାତ୍ରି ତାପମାତ୍ରା ମଧ୍ୟରେ ୩.୫ ଡିଗ୍ରିର ବ୍ୟବଧାନ ରହିଥିବା ବେଳେ କେନ୍ଦୁଝରରେ ୩.୫ ଡିଗ୍ରି, ଭୁବନେଶ୍ବରରେ ୩.୧ ଡିଗ୍ରି, ଅନୁଗୁଳରେ ୨.୮ଡିଗ୍ରି ଓ କଟକରେ ୨.୬ ଡିଗ୍ରି ଲେଖାଏଁ କମ୍‌ ରହିଛି । ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ରାଜ୍ୟର ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

କିନ୍ତୁ ୩ ଦିନ ପରେ ୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ଏହା ପ୍ରଭାବରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହାସହ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ରହୁଛି । ଏଥିସହ ୧୧ ଓ ୧୨ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି ।