ରାଜ୍ୟରେ ୩ ଦିନ ବର୍ଷା ! କମିବ ତାପମାତ୍ରା, ବଢିବ ଥଣ୍ଡାର ପ୍ରକୋପ

403

କନକ ବ୍ୟୁରୋ : ରାଜ୍ୟକୁ ଏବେ ଉତ୍ତରା ପବନ ବହୁଥିବାବେଳେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁଁ ଆସନ୍ତା ୨୯ରୁ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍ କମିପାରେ । ଏହା ପ୍ରଭାବରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡୁ ଓ କେରଳରେ ଭାରି ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ । ଥାଇଲାଣ୍ଡରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଅଂଶବିଶେଷ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ନଭେମ୍ବର ୨ରେ ଏହା ଦୁର୍ବଳ ହୋଇଯିବ ।

କିନ୍ତୁ ଲଘୁଚାପ ବଳୟ ଅବସ୍ଥାରେ ବଙ୍ଗୋପସାଗରରେ ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରାଇବ । ଏହାଦ୍ୱାରା ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହୋଇପାରେ । ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଅଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଉପକୂଳ ସଂଲଗ୍ନ ଜିଲ୍ଲାର ପାଗ ଆଂଶିକ ମେଘୁଆ ହେବା ସମ୍ଭାବନା ।