ଗରମ ରହିବ ବିଧାନସଭାର ଶୀତ ଅଧିବେଶନ । ଆରମ୍ଭ ଦିନରୁ ଦେଖିବାକୁ ମିଳିପାରେ ମମିତା ହତ୍ୟା ବନାମ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ।

132

କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ତେବେ ଆରମ୍ଭ ଦିନରୁ ବିଧାନସଭାରେ ଦେଖିବାକୁ ମିଳିପାରେ ବିରୋଧୀ ଓ ଶାସକ ଦଳର ହଙ୍ଗାମା । ବିରୋଧୀ ମମିତା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଥିବାବେଳେ, ଶାସକ ଦଳ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାକୁ ସଜ ହେଉଥିବା ସୂଚନା ମିଳିଛି ।

ପ୍ରସଙ୍ଗକୁ ନେଇ ଉଛୁଳିବ ବିଧାନସଭା । ଆରମ୍ଭରୁ ଗ୍ୟାସ୍ ଦର ବନାମ ମମିତା ହତ୍ୟାର ତାତି ! ଶୀତକାଳୀନ ଅଧିବେଶନର ଆରମ୍ଭ ଦିନରୁ ହିଁ ସରଗରମ ହେବ ବିଧାନସଭା । ରାଜରାସ୍ତାରେ ଚାଲିଥିବା ଆନ୍ଦୋଳନର ସ୍ୱର ପ୍ରତିଫଳିତ ହେବ ଗୃହରେ ।

ଆସନ୍ତା ୧ରୁ ଆରମ୍ଭ ହେଉଥିବା ବିଧାନସଭା ପାଇଁ ଚାଲିଛି ଆଣ୍ଟିବଡି ଏବଂ କୋଭିଡ୍ ଟେଷ୍ଟ । ହେଲେ ଏହା ସହ ତାଳ ଦେଇ ପ୍ରସଙ୍ଗକୁ ନେଇ ପ୍ରସ୍ତୁତି କରିଛନ୍ତି ଶାସକ ଆଉ ବିରୋଧୀ । ଯଦିଓ ବିଧାୟକ ଦଳ ବୈଠକରେ ଏହା ଉପରେ ଚୁଡାନ୍ତ ମୋହର ବାଜିବ, ହେଲେ ବିଧାୟକ ଏବଂ ଦଳୀୟ ସ୍ତରରେ ଚାଲିଥିବା ପ୍ରସ୍ତୁତି ଏନେଇ ଇଙ୍ଗିତ ଦେଲାଣି । ଅର୍ଥାତ୍ ଅଧିବେଶନ ସଠିକ ଭାବେ ଚାଲିପାରିବ କି ନାହିଁ, ସେନେଇ ସନ୍ଦେହ ବି ସୃଷ୍ଟି ହେଲାଣି ।

ସୂଚନା ଅନୁସାରେ ୩୦ ତାରିଖର କଂଟ ପୂରିବା ପରେ ଗ୍ୟାସ୍ ଦର ଯଦି କମିନଥିବ ତେବେ ପ୍ରଥମ ଦିନରୁ ହିଁ ଗୃହ ଭିତରେ ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ଖାଉଟିଙ୍କ ସ୍ୱାର୍ଥର କଥା କହି ବିଜେଡି ଗୃହରେ ତାତିବ । ଏପରିକି ପ୍ରଶ୍ନ କାଳ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଲାଣି । ଅର୍ଥାତ୍ ବିରୋଧୀ ମମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ଆଗରୁ ଗ୍ୟାସ୍ ଦର ବୃଦ୍ଧିର ଢାଲ ଧରି ସରକାରୀ ସଭ୍ୟ ଗୃହକୁ ଆସିବାକୁ ପ୍ରସ୍ତୁତି ଚଳାଇଥିବା ଅନୁମାନ କରାଯାଉଛି ।

କିଛି ଦିନ ଆଗରୁ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଦେଇଥିବା ପରାମର୍ଶ କିଭଳି ଗୃହରେ କାର୍ଯ୍ୟକାରୀ ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ଅର୍ଥାତ୍ ପ୍ରଶ୍ନକାଳ ଠାରୁ ଆରମ୍ଭ କରି ଗୃହର ବାକି କାର୍ଯ୍ୟ ବିନା ହଟ୍ଟଗୋଳ, ପାଟିତୁଣ୍ଡ ଓ ମୁଲତବୀରେ ସରିବ ନାହିଁ ବୋଲି ଅନୁମାନ କରିବା ଭୁଲ୍ ହୋଇପାରେ । ବିଜେପି ଓ କଂଗ୍ରେସ ମମିତା ମାମଲାରେ ଯେଭଳି ସରକାରଙ୍କୁ ଅକଳରେ ପକାଇଛନ୍ତି ତାହା ଦୁଇ ପାଦ ଆଗକୁ ବଢିବ, ଯେତେବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହକୁ ଆସିବେ । କାରଣ ପୂର୍ବରୁ ବିରୋଧୀ ଚେତାବନୀ ଦେଇ ସାରିଛନ୍ତି ମନ୍ତ୍ରୀଙ୍କୁ ଗୃହରେ ପୁରାଇ ଦିଆଯିବ ନାହିଁ । ଏଭଳି ସ୍ଥଳେ ମନ୍ତ୍ରୀଙ୍କ ବିଧାନସଭାକୁ ଆସିବା ସମୟରେ ମଧ୍ୟ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।