ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ

99

କନକ ବ୍ୟୁରୋ : ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ । ଶେଷ ଦିନରେ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସଂକଳ୍ପ ଆଗତ ହେବ । ଫଳରେ ପଛୁଆ ବର୍ଗ ଏହାର ଲାଭ ପାଇପାରିବେ ବୋଲି କୁହାଯାଇଛି । ଏବେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ସଂକଳ୍ପ ଆଗତ ହେବ । ବିଧାନସଭାରେ ଏହି ସଂକଳ୍ପ ଆଗତ କରିବେ ମନ୍ତ୍ରୀ ଜଗନ୍ନାଥ ସାରକା । ତେବେ ଏହି ଅଧିବେଶନରେ ଆଲୋଚନା କମ୍, ବିବାଦ ଏବଂ ହଟ୍ଟଗୋଳ ଅଧିକ ହୋଇଛି । ଗୃହର ଗୁରୁତ୍ୱପୂର୍ଣ୍ଣ ସମୟ ନାରାବାଜି ଓ ମୁଲତବୀ ଭିତରେ ସରିବାକୁ ଯାଉଛି ।

ଗତକାଲି କଂଗ୍ରେସ ଦଳ ପକ୍ଷରୁ ବୁଧବାର ଖଣି ଦୁର୍ନୀତି ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାହାକୁ ଗ୍ରହଣ କରି ନ ଥିଲେ । ଫଳରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହ ସ୍ବର ମିଳାଇଥିଲା। ବାଚସ୍ପତି କାହିଁକି ମୁଲତବୀ ପ୍ରସ୍ତାବ ଗ୍ରହଣ କଲେନି ବୋଲି ଉଭୟ ଦଳର ସଭ୍ୟମାନେ ପଚାରିଥିଲେ । ବାଚସ୍ପତି ସେମାନଙ୍କ କଥା ନ ଶୁଣି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କଲେ। ଏହି ସମୟରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ‌ହୋହଲ୍ଲା କଲେ । ଖଣି ଦୁର୍ନୀତି ଆଲୋଚନାକୁ ରାଜ୍ୟ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କଲେ। ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ‌ରଖିଲେ । ମୁଲତବୀ ପରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କୁ ତାଙ୍କ ପ୍ରକୋଷ୍ଠ ବାହାରେ ଘେରାଉ କରିଥିଲେ । ମୁଲତବୀ ପ୍ରସ୍ତାବ ଗ୍ରହଣ ନ କଲା ଯାଏ ବାଚସ୍ପତିଙ୍କୁ ଗୃହରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ଦେବେନି ବୋଲି କହିଥିଲେ । ବିରୋଧୀ ସଭ୍ୟମାନେ ପ୍ରକୋଷ୍ଠ ବାହାରେ ଘେରାଉ କରି ବସିଥିବାରୁ ବାଚସ୍ପତି ୧୧ଟା ୩୦ରେ ଗୃହକୁ ଯାଇପାରିଲେ ନାହିଁ । ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ପ୍ରବେଶ କରି ସଙ୍ଗେ ସଙ୍ଗେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ।

ବାଚସ୍ପତିଙ୍କ ପ୍ରକୋଷ୍ଠ ସାମ୍ନାରେ ବିରୋଧୀ ସଦସ୍ୟମାନେ ସେମିତି ବସି ରହିଲେ। ମଧ୍ୟାହ୍ନରେ ବାଚସ୍ପତି ତାଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଧାନସଭା ବାହାରକୁ ଯିବାକୁ ବାହାରିଲା ବେଳେ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ । ପୁଣି ଅପରାହ୍ନରେ ବାଚସ୍ପତି ତାଙ୍କ ପ୍ରକୋଷ୍ଠକୁ ଫେରିଲା ପରେ ବି‌ରୋଧୀ ଦଳ ବିଧାୟକମାନେ ବାଚସ୍ପତିଙ୍କ ପ୍ରକୋଷ୍ଠକୁ ପୁଣି ଘେରିଲେ । ଫଳରେ ଅପରାହ୍ନ ୪ଟାରେ ପୁଣି ଉପବାଚସ୍ପତି ଗୃହକୁ ଯାଇ ଅଧ୍ୟକ୍ଷତା କଲେ । କିଛି ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍‌କୁ ଚଢ଼ିବାକୁ ଉଦ୍ୟମ କରୁଥିଲେ । ପୋଡିୟମ୍‌କୁ ସୁରକ୍ଷା କର୍ମୀମାନେ ଘେରି ରହି ସଭ୍ୟମାନଙ୍କୁ ଅଟକାଇଥିଲେ। ଏହି ସମୟରେ ଲୋକାଲ୍‌ ଫଣ୍ଡ୍ ଅଡିଟ୍‌ ରିପୋର୍ଟ ସମେତ ବିଭିନ୍ନ ନିଗମର ବାର୍ଷିକ ରିପୋର୍ଟକୁ ମନ୍ତ୍ରୀମାନେ ଉପସ୍ଥାପନ କରିଥିଲେ। ଏପରିକି ବିରୋଧୀଙ୍କ ହୋହଲ୍ଲା ଭିତରେ ଚାରିଟି ବିଲ୍‌ ଗୃହୀତ ହୋଇଥିଲା ।

ପ୍ରତି ବିଲ୍‌ରେ ଶାସକ ଦଳର ଜଣେ ଜଣେ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ। ଓଡ଼ିଶା ପଞ୍ଚାୟତ ଆଇନ(ସଂଶୋଧନ)- ୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧ ଓ ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍‌- ୨୦୨୧ ପାରିତ ହୋଇଥିଲା। ଶାସକ ଦଳ ପକ୍ଷରୁ ପ୍ରମୋଦ ମଲ୍ଲିକ, ଭୂପିନ୍ଦର ସିଂହ, ଧ୍ରୁବ ଚରଣ ସାହୁ ଓ ଲତିକା ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ। ୪ଟା ୩୫ରେ ଉପବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଶେଷ ପର୍ଯ୍ୟନ୍ତ ବାଚସ୍ପତି ବିରୋଧୀ ଦଳ ସଭ୍ୟମାନଙ୍କୁ ଆଲୋଚନାକୁ ଡାକି ନ ଥିଲେ।