କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓକିଲଙ୍କ ହଡତାଳ ଜାରିରହିଛି । ତେବେ ସୁପ୍ରିମକୋର୍ଟ ବିଭିନ୍ନ ବାର ଆସୋସିଏସନକୁ ଚେତାବନୀ ଦେଇଛନ୍ତି । ଶୀର୍ଷ ଅଦାଲତ ନିଜ ରାୟରେ କହିଛନ୍ତି ଯଦି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆସୋସିଏସନର ଓକିଲ ଅଦାଲତ ବହିଷ୍କାରର ନିଷ୍ପତ୍ତି ଫେରାଇ ନ ନିଅନ୍ତି ତେବେ ୨୦ ଜିଲ୍ଲାର ବାର ଆସୋସିଏସନର ସଦସ୍ୟଙ୍କୁ ନିଲମ୍ବନ କରିଦିଆଯିବ । ଅଦାଲତ କହିଛନ୍ତି, ଓକିଲଙ୍କ ହଡତାଳର ପ୍ରଭାବ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ସେମାନେ ଏହାକୁ ନଭୋଗିବା ଦରକାର । ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏ ଏସ ଓକାଙ୍କ ଖଣ୍ଡପୀଠ ଏଭଳି ଚେତାବନୀ ଦେଇଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଜନତାଙ୍କ ସହ ଏହିଭଳି ବ୍ୟବହାରକୁ ବର୍ଦାସ୍ତ କରାଯିବ ନାହିଁ । ଦିନର ଶେଷରେ ଓକିଲଙ୍କ ହଡତାଳ କାରଣରୁ ସାଧାରଣ ଲୋକେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ।
ଅଦାଲତ ଓଡିଶା ହାଇକୋର୍ଟର ରେଜଷ୍ଟ୍ରାରଙ୍କ ଦ୍ୱାରା ଦାଏର ଏକ ଆବେଦନର ଶୁଣାଣି କରିଥିଲେ । ହାଇକୋର୍ଟ କହିଥିଲେ ଅନେକ ଜିଲ୍ଲାରେ ବାର ଆସୋସିଏସର ସଦସ୍ୟ କାମ ନକରିବା କାରଣରୁ ରାଜ୍ୟର ଅଧସ୍ତନ ଅଦାଲତରେ ନ୍ୟାୟିକ ପ୍ରକ୍ରିୟା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ସୁପ୍ରିମକୋର୍ଟ ଏହା ଉପରେ କହିଥିଲେ ଯେ, ଜନତାଙ୍କ ସହ ଏଭଳି ବ୍ୟବହାରକୁ ବର୍ଦାସ୍ତ କରାଯିବ ନାହିଁ । କୋର୍ଟ ହାଇକୋର୍ଟର ପ୍ରତିନିଧି ତଥା ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଏବଂ ଓକିଲ ଶିବଶଙ୍କର ମିଶ୍ରଙ୍କ ପକ୍ଷ ଶୁଣିବା ପରେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି । ଉଭୟ ଓକିଲ କହିଛନ୍ତି, ଓକିଲଙ୍କ ଦ୍ୱାରା ବାରମ୍ବାର ଅଦାଲତ ବହିଷ୍କାରକରାଯିବା କାରଣରୁ ଚଳିତ ବର୍ଷ ଜିଲ୍ଲା ଅଦାଲତରେ କାମଗୁଡିକ ପ୍ରଭାବିତ ହୋଇଛି । ଏହା ସହ ସମୟର ମଧ୍ୟ ଅପଚୟ ହୋଇଛି ।
Follow Us