ଟିକାକରଣରେ ଟାର୍ଗେଟ୍ ଠାରୁ ପଛରେ ଓଡିଶା : ୨୧ ତାରିଖରୁ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର, ହେଲେ ପହଁଚି ପାରୁନି ଟାର୍ଗେଟ୍  

ସେପଟେ ନିଆଳିରୁ ଆସିଲା ଅଭାବନୀୟ ଦୃଶ୍ୟ ; ୨୦୦ ଟିକା ପାଇଁ ୨ ହଜାର ଲୋକଙ୍କ ଭିଡ

236

କନକ ବ୍ୟୁରୋ : ଜୁନ ୨୧ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିଲା କରୋନା ଟିକାକରଣର ବଡ଼ ଅଭିଯାନ । ଦୈନିକ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ହେଲେ ୬ ଦିନ ଭିତରେ ମାତ୍ର ଦୁଇ ଥର ଏହି ଟାର୍ଗେଟ ହାସଲ କରା ଯାଇପାରିଛି । ଗୋଟିଏ ପଟେ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି, ଅନ୍ୟପଟେ ଟାର୍ଗେଟରୁ ପଛରେ ପଡ଼ିଯାଉଛି ଓଡ଼ିଶା ।

କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କୃଷ୍ଣପ୍ରସାଦ ପ୍ରାଇମେରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବୟାନ କରୁଛି ଯେ ଟିକା ନେବା ପାଇଁ କିପରି ଲୋକ ଅପେକ୍ଷା କରି ରହିଛନ୍ତି । କେନ୍ଦ୍ରରେ ମାତ୍ର ୨୩୦ ଟିକା ପହଁଚିଥିବା ବେଳେ ପ୍ରାୟ ୨ ହଜାର ଲୋକ ଟିକା ନେବା ପାଇଁ ଭିଡ଼ ଜମାଇଥିଲେ । ଏପରି କି ମେଡିକାଲ ଗେଟ ତାଡି ଭିତରକୁ ପସିଯାଇଥିଲେ ଉତ୍ୟକ୍ତ ଲୋକ । ଲୋକଙ୍କ ଗହଳି ଦେଖି ଟିକା ଦେବା ବନ୍ଦ କରି ଦେଇଥିଲେ ମେଡିକାଲ କର୍ମଚାରୀ । କରୋନା ବିରୋଧୀ ଲଢ଼େଇରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଟିକା । ରାଜ୍ୟରେ କରୋନା ସଂକ୍ରମଣ ଯେପରି ହ୍ରାସ ପାଇବା କଥା ପାଉନାହିଁ ।

ସେପଟେ ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ଦୈନିକ ୩ ଲକ୍ଷ ଟିକା ଦେବା ପାଇଁ ଟାର୍ଗେଟ ରଖିଛନ୍ତି । ଜୁନ ୨୧ ତାରିଖ ଦିନ ରାଜ୍ୟରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକା ଦିଆଯାଇଥିଲା । ୨୩ ତାରିଖରେ ୩ ଲକ୍ଷ ୨୫ ହଜାର ପାଖାପାଖି ଟିକା ଦିଆଯାଇଥିଲା । ବାକି ୪ ଦିନ ଏହି ଟାର୍ଗେଟ ଛୁଇଁପାରିନି ଓଡ଼ିଶା । ଟିକାକେନ୍ଦ୍ରରେ ଲୋକଙ୍କ ଭିଡ଼ ବଢୁଥିବା ବେଳେ ଦିନକୁ ଦିନ ଟିକାକେନ୍ଦ୍ର ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଶୁକ୍ରବାର ଦିନ ୨ ଲକ୍ଷ ୪୫ ହଜାର ୩୦୬ ଓ ଶନିବାର ଦିନ ୨ ଲକ୍ଷ ୪୪ ହଜାର ୨୫୦ ଟିକା ଦିଆଯାଇଛି ।