କି ଯାତ୍ରା ଚାଲିଛି ? ମହାମାରୀ ବେଳେ କଳାକାର-ମାଲିକ ମୁହାଁମୁହିଁ । କଳାକାର କହିଲେ ମୁହଁ ମୋଡି ଦେଉଛନ୍ତି ମାଲିକ, କେମିତି ପୋଷିବୁ ପେଟ ? ଯାତ୍ରା ମାଲିକଙ୍କ ଯୁକ୍ତି; ଆଇଏଏସଠୁ ବି ଅଧିକ ଦରମା ମାଗୁଛନ୍ତି, କ୍ୟାମେରା ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି… କଣ ହେବ ଯାତ୍ରାର ଭବିଷ୍ୟତ ?

875

କନକ ବ୍ୟୁରୋ: କଳାକାର ବନାମ ମାଲିକ । ଟଙ୍କା ପାଇଁ କିଏ କହୁଛି ସତ ? କରୋନା ପାଇଁ କାନ୍ଦୁଛି କଳାକାର । କଟକଣା ପାଇଁ ଦୀର୍ଘ ଦୁଇ ମାସ ହେଲା ହାତବାନ୍ଧି ବସିଛନ୍ତି ଯାତ୍ରା ଅଭିନେତା । ଲକଡାଉନ ପାଇଁ ପ୍ରାୟ ୧୦ ହଜାର କଳାକାର ଜୀବୀକା ହରାଇଛନ୍ତି । ରାତିର ଝିଲ ମିଲ ଆଲୁଅରେ ରଙ୍ଗୀନ ହେଉଥିବା ମଞ୍ଚ କଟକଣା ପାଇଁ ଅନ୍ଧାର ହୋଇଯିବା ପରେ ଏବେ କଳାକାରର ଭବିଷ୍ୟତ ବି ଅନ୍ଧାରକୁ ଠେଲି ହୋଇଯାଇଛି ।

ମଞ୍ଚ ବନ୍ଦ ଥିବାରୁ କଳାକାରମାନେ ଦାନାଗଣ୍ଡେ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ମୁହଁରେ ରଙ୍ଗ ପାଉଡର ମାରି ଲୋକଙ୍କ ମନୋରଞ୍ଜନ କରି ଯେଉଁ ଟଙ୍କା ଗଣ୍ଡିକ ପାଆନ୍ତି ସେତକ ଆସିବା ବନ୍ଦ ହେବା ପରେ ସରକାରଙ୍କୁ ଗୁହାରୀ କରିଥିଲେ କଳାକାର । ଖାଲି ସେତିକି ନୁହେଁ ମାଲିକମାନେ ବି ଏହି ସମୟରେ କିଛି ଶୁଣୁ ନଥିବା ସେମାନେ ଅଭିଯୋଗ କରିଥିଲେ ।

କଣ ହେବ ଯାତ୍ରାର ଭବିଷ୍ୟତ ? କେବେ ଖୋଲିବ ଯାତ୍ରା ମଞ୍ଚ ? ଅନିଶ୍ଚିତତା ଭିତରେ ଗତି କରୁଥିବା କଳାକାର ଟଙ୍କା ପାଇଁ ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ଯାତ୍ରା ପାର୍ଟି ମାଲିକ । ଯାତ୍ରା କଳାକାରଙ୍କୁ ପ୍ରାପ୍ୟ ମିଳୁନଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାକୁ ଖଣ୍ଡନ କରିଛନ୍ତି ପାର୍ଟି ମାଲିକ । ଆଉ କ୍ୟାମେରା ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଳାକାରଙ୍କ ଅସଲି ସତ ସାମ୍ନାକୁ ଆଣିଛନ୍ତି ।

ତେବେ ଟଙ୍କାକୁ ନେଇ ଯାତ୍ରା କଳାକାର ଓ ମାଲିକ ମୁହାଁମୁହିଁ ହେବା ପରେ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି ସମସ୍ତଙ୍କ ଜୀବୀକା । ବଡ ବଡ କଳାକାର ମାନେ ସିନା ବଞ୍ଚିଯିବେ ହେଲେ ଯେଉଁମାନେ ଅଳ୍ପ ପାରିଶ୍ରମିକରେ ପେଟ ପୋଷନ୍ତି ସେମାନେ ବାକି ଟଙ୍କା ପାଇବେ ତ ? ମାଲିକ- କଳାକାରଙ୍କ ଏ ଛକାପଞ୍ଝା ଭିତରେ ରଙ୍ଗୀନ ମଞ୍ଚ ପୁଣି ଖୋଲିବ ତ ? ନା ସବୁଦିନ ପାଇଁ ମଞ୍ଚରେ ପଡିବ ଅନ୍ଧାରର ପରଦା ?