ସାବଧାନ ! ପିଲାଙ୍କ ହାତରେ ଦିଅନ୍ତୁନି ମୋବାଇଲ । ମାତିଛନ୍ତି ସାଇବର ଲୁଟେରା

176

କନକ ବ୍ୟୁରୋ: ସାବଧାନ! ପିଲାଙ୍କ ହାତରେ ଦିଅନ୍ତୁ ନାହିଁ ମୋବାଇଲ ଫୋନ । କାରଣ ମାତିଛନ୍ତି ସାଇବର ଲୁଟେରା । ଆଉ ସାଇବର ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି ଛୋଟ ଛୋଟ ସ୍କୁଲ ପିଲା । ମୋବାଇଲ ଧରି ଖେଳିବା ବେଳେ ଲୁଟେରା ସେମାନଙ୍କୁ ବିଭିନ୍ନ ଆପ୍ ପଠାଇ ଡାଉନଲୋଡ କରିବାକୁ କହି ତଥ୍ୟ ହାତେଇପାରନ୍ତି । ଏହାକୁ ନେଇ ରାଜ୍ୟ ଆଇଟି ବିଭାଗ ସଚେତନ କରାଇଛି ।

ସାରା ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଟଙ୍କା ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ଅନଲାଇନ ଠକ । କାହାକୁ ଲିଙ୍କ ପଠାଇ କ୍ଲିକ କରିବାକୁ କହୁଛନ୍ତି ତ କାହାକୁ ଫୋନ୍ କରି ବ୍ୟାଙ୍କ ତଥ୍ୟ ମାଗୁଛନ୍ତି । ଏଭଳି ପୁଳା ପୁଳା ଅଭିଯୋଗ ପ୍ରତ୍ୟେକ ଦିନ ସାଇବର ଥାନାକୁ ଆସୁଛି । ବିଶେଷକରି ଏବେ ଛୋଟ ପିଲା ଓ ମୋବାଇଲରେ ପଢୁଥିବା ପିଲାଙ୍କୁ ଟାର୍ଗେଟ କରୁଛନ୍ତି ଠକ । ଗେମ ଆପ୍ ନାଁରେ ଠକେଇ ଆପ୍ଲିକେଶନ ଦେଇ ଲୁଟିବା ତରିକା ଆପଣାଇଛନ୍ତି । ଯାହାକୁ ନେଇ ରାଜ୍ୟ ଆଇଟି ବିଭାଗ ଛୋଟପିଲା ଓ ଅଭିଭାବକଙ୍କୁ ସତର୍କ କରାଇଛନ୍ତି । ଅନଲାଇନ ଫ୍ରଡ ରୋକିବା ପାଇଁ ଆଇଟି ବିଭାଗ କିଛି ପରାମର୍ଶ ଦେଇଛି…

– ପିଲା ପାଠପଢା ପାଇଁ ବ୍ୟବହାର କରୁଥିବା ମୋବାଇଲରେ ବ୍ୟାଙ୍କ ତଥ୍ୟ ରଖନ୍ତୁ ନାହିଁ
– ଛୋଟ ପିଲାଙ୍କ ହାତରେ ମୋବାଇଲ ଦିଅନ୍ତୁ ନାହିଁ
– ଅଜଣା ଲିଙ୍କ୍ ଆସିଲେ କ୍ଲିକ କରନ୍ତୁ ନାହିଁ
– ସର୍ବସାଧାରଣ ସ୍ଥାନରେ ୱାଇ-ଫାଇ ବ୍ୟବହାର କରନ୍ତୁ ନାହିଁ
– ମୋବାଇଲ ବ୍ୟବହାର ସମୟରେ ସୁରକ୍ଷିତ ପାସୱାର୍ଡ ରଖନ୍ତୁ
– ପାସୱାର୍ଡ ଓ ଓଟିପି କାହାକୁ ସେୟାର କରନ୍ତୁ ନାହିଁ
– ଅଣସ୍ୱୀକୃତପ୍ରାପ୍ତ ଆପ୍ଲିକେଶନ ବ୍ୟବହାର କରନ୍ତୁ ନାହିଁ
– ପିଲା ବ୍ୟବହାର କରୁଥିବା ଆପ୍ଲିକେଶନ ଉପରେ ନଜର ରଖନ୍ତୁ

ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟରେ ୪ ବର୍ଷ ଭିତରେ ଅର୍ଥାତ ୨୦୧୮ରୁ ୨୦୨୨ ମଧ୍ୟରେ ୧୨୨ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ଏଥିରୁ ମାତ୍ର ୨ କୋଟି ୮୭ ଲକ୍ଷ ଟଙ୍କା ଫେରିଛି । ୨୦୨୦ରେ ୧୯୩୧ଟି ସାଇବର ଅପରାଧ ପଞ୍ଜୀକୃତ ହୋଇଥିଲେ । ସେହିଭଳି ୨୦୨୧ ମସିହାରେ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ ଜଣ ଗିରଫ ହୋଇଛନ୍ତି ।