କରୋନା ହାରିବ ଓଡ଼ିଶା ଜିତିବ । କୋଭିଡକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଲା ଓଡ଼ିଶା, ବିଶ୍ୱକୁ ନାକେଦମ୍ କରିଥିବା ଭୂତାଣୁର ପ୍ରତିରୋଧ ପାଇଁ ଗବେଷଣା ଆରମ୍ଭ କରିଛି ଓଡ଼ିଶା ।

2,335

କନକ ବ୍ୟୁରୋ: କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡିଶା କରୋନା ମୁକାବିଲା ପାଇଁ ଏକ ନୂଆ ସମ୍ଭାବନା ସହ ଆଗକୁ ବଢୁଛି । ଓଡିଶାରେ କରୋନା ଔଷଧ ତିଆରି କରିବା ନେଇ ଗବେଷଣା ଆରମ୍ଭ କରିଛି ଆଇଏଲଏସ ବା ଜୀବ ବିଜ୍ଞାନ ଅନୁଷ୍ଠାନ ଭୁବନେଶ୍ୱର । ଓଡିଶାର ବିଭିନ୍ନ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଛି । ଏସବୁରୁ ଥଣ୍ଡା, କାଶ, ସର୍ଦ୍ଦି ପାଇଁ ଅନେକ ଔଷଧ ତିଆରି ହୋଇ ପାରିଛି ।

ତେବେ ଏଣୁ ବର୍ତ୍ତମାନ ଏସବୁ ଔଷଧୀୟ ବୃକ୍ଷ ସହ ଆଇଏଲଏସ ଭୁବନେଶ୍ୱରରେ ଥିବା କିଛି ରାସାୟନିକ କମ୍ପାଉଣ୍ଡକୁ ନେଇ କରୋନ ଔଷଧ ତିଆରି ପାଇଁ ଗବେଷଣା ଆରମ୍ଭ ହୋଇଥିବା ଜଣା ପଡିଛି । ସେପଟେ କରୋନା ଟୀକା ନେଇ ବି ଓଡିଶାରେ ଗବେଷଣା ଆରମ୍ଭ ହୋଇଛି । ଏଥିପାଇଁ ଆନିମଲ ମଡେଲ ଉପରେ ଭୁବନେଶ୍ୱର ଜୀବ ବିଜ୍ଞାନ ଅନୁଷ୍ଠାନ କାମ କରୁଥିବା ନେଇ ସୂଚନା ଦିଆଯାଇଛି ।

ସବୁଠାରୁ ବଡ କଥା ହେଉଛି କରୋନାର ଗବେଷଣା ଭିତରେ ଜୁନ ଶେଷ ସୁଦ୍ଧା ଭୂତାଣୁର ପୁରା ଗତିବିଧି ଓ ସଂକ୍ରମଣର ଧାରା ଜଣାପଡିଯିବ ବୋଲି ଆଶା ରଖିଛନ୍ତି ଆଇଏଲଏସ ଭୁବନେଶ୍ୱରର ମୁଖ୍ୟ ଡକ୍ଟର ଅଜୟ ପରିଡା ।