ଗୌରବ ବଢ଼ାଇଛି ଘଡ଼ିଆଳ କୁମ୍ଭୀର : ୩ ପ୍ରଜାତିର କୁମ୍ଭୀର ରହିବାରେ ଏକମାତ୍ର ରାଜ୍ୟ ଓଡ଼ିଶା

ଗୌରବ ବଢ଼ାଇଛି ଘଡ଼ିଆଳ କୁମ୍ଭୀର : ୩ ପ୍ରଜାତିର କୁମ୍ଭୀର ରହିବାରେ ଏକମାତ୍ର ରାଜ୍ୟ ଓଡ଼ିଶା

କନକ ବ୍ୟୁରୋ : ମହାନଦୀର ସାତକୋଶିଆ ଗଣ୍ଡରେ ଦେଶରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରର ପ୍ରାକୃତିକ ପ୍ରଜନନ ପରେ ଏହା ରାଜ୍ୟ ପାଇଁ ଏକ ବିରଳ ଗୌରବ ଆଣିଛି। ୩ ପ୍ରଜାତିର କୁମ୍ଭୀରଙ୍କ ପ୍ରାକୃତିକ ବାସସ୍ଥଳୀ ଭାବେ ଏହା ଏକମାତ୍ର ରାଜ୍ୟ ପାଲଟିଛି। ଏହାକୁ ନେଇ ପରିବେଶବିତ୍ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲାବେଳେ ଏହି ଗୌରବକୁ ବଞ୍ଚାଇ ରଖିବା ଏବେ ବନ ବିଭାଗ ପାଇଁ ଆହ୍ବାନ ସୃଷ୍ଟି କରିଛି । ଦିନଥିଲା, ଘଡ଼ିଆଳ ପାଇଁ ବେଶ୍‌ ନାଁ କମାଇଥିଲା ମହାନଦୀର ସାତକୋଶିଆ ଗଣ୍ଡ ।

ଆଗରୁ ଏହା ଘଡ଼ିଆଳଙ୍କର ପ୍ରାକୃତିକ ଆବାସସ୍ଥଳୀ ଥିଲାବେଳେ ଏବେ ମଗର ସଂଖ୍ୟା ବଢିଛି। ମଗରଙ୍କ ଭିଡ଼ ଭିତରେ ଘଡ଼ିଆଳ ଏକପ୍ରକାର ହଜି ଯାଇଥିଲେ। କିନ୍ତୁ ପାଖାପାଖି ମାସେ ତଳେ ୨୮ଟି ଘଡ଼ିଆଳ ଶାବକ ଜନ୍ମ ହେବା ପରେ ସାତକୋଶିଆ ନିଜର ପୂର୍ବ ଗୌରବ ଫେରିପାଇଛି। ଗଣ୍ଡରେ ରହୁଥିବା ଦୁଇଟି ମାଈ ଓ ଗୋଟିଏ ଅଣ୍ଡିରା ଘଡ଼ିଆଳଙ୍କ ଔରସରୁ ଏହା ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ଏହି ଘଡ଼ିଆଳ ପ୍ରଜନନ ପରେ ଏହାକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରି ଟ୍ବିଟ୍ କରିଥିଲେ ।

ସୂଚନା ଅନୁସାରେ, ୧୯୭୯ମସିହାରେ ଓଡ଼ିଶାରେ ଘଡ଼ିଆଳ, ମଗର ଓ ବଉଳା ପ୍ରମୁଖ ତିନି ପ୍ରଜାତି କୁମ୍ଭୀରଙ୍କ ସଂରକ୍ଷଣ ଲାଗି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ପ୍ରକଳ୍ପ କରାଯାଇଥିଲା। ସାତକୋଶିଆ ଗଣ୍ଡ ଘଡ଼ିଆଳଙ୍କର ପ୍ରାକୃତିକ ଆବାସ ହୋଇଥିବାରୁ ମହାନଦୀରେ ଘଡ଼ିଆଳ ପ୍ରଜନନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ମହାନଦୀ ଗଣ୍ଡରେ ଘଡ଼ିଆଳ ବଂଶ ଉଧେଇ ପାରି ନ ଥିଲେ । ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପ ବିଫଳ ହୋଇଥିଲାବେଳେ ଏବେ ୨୮ଟି ଶାବକଙ୍କ ଆଗମନ ନୂଆ ଆଶା ସଂଚାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe