ବିଜେପି କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ୧୭ରେ ହେମାମାଳିନୀ କଟକ, ଭୁବନେଶ୍ୱରରେ ଜନସଭା ଓ ପିପିଲିରେ କରିବେ ରୋଡ ସୋ’ । ଅଶ୍ୱିନୀ ବୈଷ୍ଣବ ବି କରିବେ ପ୍ରଚାର

202

କନକ ବ୍ୟୁରୋ: ବଦଳିଯାଇଛି ବିଜେପିର ନିର୍ବାଚନ ଷ୍ଟ୍ରାଟେଜୀ । ଓଡ଼ିଶା ଗାଦି ଦଖଲ ପାଇଁ ବିଜେପି ଓ କେନ୍ଦ୍ରୀୟ ନେତୃତ୍ୱ ଘନଘନ ଗସ୍ତ କରୁଛନ୍ତି । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ଦଳୀୟ ସମାବେଶରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଓଡ଼ିଶାର ଲୋକ ପରିବର୍ତନ ଚାହୁଁଛନ୍ତି । ସେହିପରି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ମଧ୍ୟ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

  • ବଦଳୁଛି ବିଜେପିର ଷ୍ଟ୍ରାଟେଜୀ
  • ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ଡେରା

ଆଗକୁ ଦଳର ଆଉ କିଛି ବଡ଼ ଚେହେରା ଆସିବା ନେଇ ଯୋଜନା କରିଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାରାଥନ କାର୍ଯ୍ୟକ୍ରମ ରଖିଛି ଦଳ । ଏଥିସହ ବିଜେପି ଷ୍ଟାର ପ୍ରଚାରକ ତଥା ଡ୍ରିମ୍ଗର୍ଲ ହେମା ମାଳିନୀଙ୍କୁ ଆଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ଦେଇଛି ରାଜ୍ୟ ବିଜେପି ।

  • ୧୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ହେମାମାଳିନୀ
  • ସେହିଦିନ ଭୁବନେଶ୍ୱର ଓ କଟକରେ କରିବେ ଜନସଭା
  • ପିପିଲିରେ ରୋଡ୍ ସୋ’ କରିବେ ହେମାମାଳିନୀ

ସେହିପରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ତିନି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ୧୬ ଓ ୧୭ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣି ଓଡ଼ିଶା ଆସିବେ । ୧୭ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ୧୭ ଓ ୧୮ରେ ଦୁଇଦିନ ଧରି ବଣାଇ, ସୁନ୍ଦରଗଡ଼ ଠାରେ ଦୁଇଟି ସଭା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତରୁ ଲାଗୁଛି, ଯେମିତି ବିଜେଡି ଗଡ଼କୁ ଭେଦ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବା ମୁଡରେ ନାହିଁ ।