କନକ ବ୍ୟୁରୋ: ପଞ୍ଜାବ ଓ ହରିୟାଣା ଶୈଳୀରେ ଓଡ଼ିଶାରେ ପୋଡ଼ାଯାଉଛି ନଡ଼ା । ରାଜ୍ୟର ଅଧିକ ପ୍ରଦୂଷିତ ସହର ତାଲିକାରେ ଥିବା ଅନୁଗୁଳ ଓ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଏପରି ବ୍ୟାପକ ଭାବେ ନଡ଼ା ପୋଡ଼ାଯାଉଥିବାର ଖବର ସାମ୍ନାକୁ ଆସିଛି । ଫଳରେ ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି । ନଡ଼ା ପୋଡ଼ିବା ସହ ଅନବରତ ଭାବେ ଯାନବାହାନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ବାୟୁ ପ୍ରଦୂଷର ପ୍ରମୁଖ କାରଣ । ଏବେ ଚାଷ ଅମଳ ପରେ ହେଉଛି ପୋଡୁ ଚାଷ, ଏହା ଫଳରେ ରାଜ୍ୟରେ ବଢୁଛି ପାର୍ଟିକ୍ୟୁଲେଟ ମ୍ୟାଟର ବା ପିଏମ ୨.୫ ଓ ପିଏମ ୧୦ ।

Advertisment

ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୂଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ୭ଟି ସହର ରହିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ତାଳେଚେର ଓ କଳିଙ୍ଗନଗର ଏହି ୭ଟି ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ କମିଶନର ମାନଙ୍କୁ ଚିଠି ଲେଖିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏହାକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିର୍ମାଣ କାମ ଚାଲିଥିବା ଅଞ୍ଚଳକୁ ଘୋଡ଼ାଇବା ସହ ପାଣି ସିଞ୍ଚନ, ରାଜରାସ୍ତାରୁ ଧୂଳିକୁ ହଟାଇବା ଓ ଶିଳ୍ପାଞ୍ଚଳରେ ନିୟମତି ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ଆଉ ଏବେ ଶୀତ ଦିନ ହୋଇଥିବାରୁ ବାୟୁ ସ୍ଥିର ହୋଇରହିଥାଏ । ଯାହାଫଳରେ ବିଷାକ୍ତ ଗ୍ୟାସ ନିର୍ଗମନ ନହୋଇ ପ୍ରଦୂଷଣ ବଢ଼ିବାରେ ଲାଗେ । ଏଥିପାଇଁ ବଢୁଛି ପ୍ରଦୁଷଣ । ସେହିଭଳି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଭେରି ପୁଅର ବା ଅତି ସାଂଘାତିତ ସ୍ଥିତିରେ ଦେଶର ୧୬ଟି ସହର ରହିଛି । ଏଥିରେ ଓଡ଼ିଶାର ୭ଟି ସହର ରହିଛି ।

ଗ୍ରୀନ ଟ୍ରିବ୍ୟୁନାଲ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦୂଷଣକୁ କମାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ହେଲେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇପାରିନାହିଁ । ଯାହାଫଳରେ ସାଧାରଣ ଲୋକ ପ୍ରଦୂଷଣର ଶିକାର ହୋଇ ହୃଦ ରୋଗ ସହ ଅନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି ।