କନକ ବ୍ୟୁରୋ: ହିତାଧିକାରୀଙ୍କୁ ସବସିଡି ବାଂଟିବାରେ ଆଗରେ ରହିଥିବା ରାଜ୍ୟ ତାଲିକାରେ ରହିଛି ଓଡ଼ିଶା । ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଆରବିଆଇ କହିଛି, ରାଜ୍ୟ ସରକାର ଯେଉଁ ସବସିଡି ଦେଉଛନ୍ତି, ତାହାର ସିଂହଭାଗ ମାଗଣା ସ୍କିମ ପ୍ରଦାନ କରୁଛନ୍ତି ।
ଆରବିଆଇ ରିପୋର୍ଟ
ଗତ ୩ ବର୍ଷ ମଧ୍ୟରେ ଝାଡ଼ଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଉତ୍ତରପ୍ରଦେଶରେ ସବ୍ସିଡି ବ୍ୟୟ ସର୍ବାଧିକ ବୃଦ୍ଧି ହୋଇଛି
ଗୁଜରାଟ, ପଂଜାବ ଓ ଛତିଶଗଡ଼ ଆଦି ରାଜ୍ୟ ରାଜସ୍ୱ ବ୍ୟୟର ୧୦ ପ୍ରତିଶତରୁ ଅଧିକ ଅର୍ଥ ସବ୍ସିଡି ଆକାରରେ ଖର୍ଚ୍ଚ କରୁଛନ୍ତି
ସାଧାରଣ ବଂଟନ ବ୍ୟବସ୍ଥା, ନିଯୁକ୍ତି ସୁଯୋଗ ସୃଷ୍ଟି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବସିଡିରୁ ଲାଭ ମିଳିବ
ମାଗଣା ସ୍କିମ୍ରେ ଦିଆଯାଉଥିବା ସବସିଡିରୁ ମିଳିବନି ଲାଭ
ରାଜ୍ୟଗୁଡିକୁ ସତର୍କ କରି ରିଜର୍ଭ ବ୍ୟାଙ୍କ କହିଛି, ମାଗଣା ବିଜୁଳି, ମାଗଣା ପାଣି, ମାଗଣା ପରିବହନ ସୁବିଧା, ବିଜୁଳି ବିଲ୍ ଛାଡ଼, କୃଷି ଋଣ ଛାଡ଼ ଆଦିରେ ସବସିଡି ବାବଦରେ ଅଧିକ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଏହି ସ୍କିମ୍ ଯୋଗୁଁ ଘରୋଇ ନିବେଶ ହ୍ରାସ ପାଉଛି, ଶ୍ରମ ଶକ୍ତିର ଯୋଗଦାନ ମଧ୍ୟ କମିଯାଉଛି । ଏହା ଜାରି ରହିଲେ ରାଜକୋଷ ଉପରେ ଚାପ ପଡିବ ବୋଲି କହିଛି ଆରବିଆଇ ।
ଓଡ଼ିଶାରେ କାଳିଆ, ବଳରାମ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ସବସିଡି ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମାଗଣା ସ୍କିମ୍ ରହିଛି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଚାଷୀଙ୍କ ସ୍ୱାବଲମ୍ବୀ କରିବା ଓ ଲୋକଙ୍କ ମଧ୍ୟ ଅସମାନତା ଦୂର କରିବା । ତେବେ ବିରୋଧୀ ଦଳ ଅଭିଯୋଗ କରିଛି, ମାଗଣା ବାଂଟି ସରକାରୀ ଅର୍ଥରେ ଭୋଟ ବ୍ୟାଙ୍କ ସୃଷ୍ଟି କରାଯାଉଛି ।
ମାଗଣା ସ୍କିମ୍ ବାବଦରେ ରାଜ୍ୟଗୁଡିକର ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟ ମାଗଣା ସ୍କିମ୍ ପାଇଁ ଘରୋଇ ଉତ୍ପାଦର ୨.୭ ପ୍ରତିଶତ ପର୍ଯ୍ୟନ୍ତ ବ୍ୟୟବରାଦ କରିଛନ୍ତିି । ଆରବିଆଇ ରିପୋର୍ଟରେ କୁହାଯାଇଛି ଜୁନ ମାସ ପରେ ରାଜ୍ୟଗୁଡିକୁ ଆଉ ଜିଏସ୍ଟି ବାବଦରେ କ୍ଷତିପୂରଣ ମିଳିବନି । ଫଳର ରାଜ୍ୟର ରାଜକୋଷ ଉପରେ ଅଧିକ ଚାପ ପଡ଼ିବ । ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି –
ରିଜର୍ଭ ବ୍ୟାଙ୍କର ପରାମର୍ଶ
ଦୀର୍ଘମିଆଦୀ ଲାଭ ପାଇବା ପାଇଁ ସବସିଡି ବ୍ୟୟର ଢାଂଚା ବଦଳାଇବାକୁ ହେବ
ହିତାଧିକାରୀଙ୍କୁ ବାସ୍ତବରେ ସଶକ୍ତ କରିବା ପାଇଁ ବ୍ୟୟ କରିବା ଜରୁରୀ
ଫଳରେ ସେମାନଙ୍କୁ ଭବିଷ୍ୟତରେ ସବସିଡି ବା ମାଗଣା ସ୍କିମ୍ ଆବଶ୍ୟକ ପଡିବନି
ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗବେଷଣା, ଗ୍ରାମୀଣ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବା ଉଚିତ
ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଦାରିଦ୍ର୍ୟ ହ୍ରାସ ପାଇବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/23-23.jpg)