କନକ ବ୍ୟୁରୋ: ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ଥିଲା ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ । କାରଣ ଏହି ପ୍ରକଳ୍ପର ଭବିଷ୍ୟତ ଉପରେ, ରାଜ୍ୟରେ ବାଘ ବଂଶ ବୃଦ୍ଧି ନିର୍ଭର କରୁଥିଲା । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଅଧାରେ ବନ୍ଦ କରିଦେଲା ଏନଟିସିଏ । ବନ୍ୟଜନ୍ତୁଙ୍କ ସ୍ଥାନାନ୍ତରଣ ପ୍ରକଳ୍ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶରୁ ଓଡିଶାକୁ ଆସିଥିଲା । କିନ୍ତୁ ଉଚିତ ବାତାବରଣ ନମିଳିବାରୁ ଜନବସତି ଆଡକୁ ବାରମ୍ବାର ମୁହାଁଉଥିଲା ସୁନ୍ଦରୀ । ମଣିଷ ମାରିବା ନେଇ ଅଭିଯୋଗ ପରେ ତାକୁ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା ।

Advertisment

ମଣିଷ ଶିକାର ଅଭିଯୋଗ ଆସିବା ପରେ ଅଭୟାରଣ୍ୟର ରାଇଗୁଡାରେ ଅଢେଇ ଏକର ପରିସୀମା ବିଶିଷ୍ଟ ଜଙ୍ଗଲରେ ୧୮ ଫୁଟ ଉଚ୍ଚର ତାରଜାଲି ଘେରା ଖୁଆଡରେ ରହିଲା ସୁନ୍ଦରୀ । ବାଘୁଣୀର ଗତିବିଧି ଉପରେ ୨୪ ଘଂଟିଆ ନଜର ରଖୁଥିଲେ ଅଭୟାରଣ୍ୟ କର୍ତୃପକ୍ଷ । ଦୀର୍ଘ ମାସ ଧରି ଏନକ୍ଲୋଜରରେ ରହିବା ପରେ ସୁନ୍ଦରୀର ଜଙ୍ଗଲୀ ଗୁଣରେ ପରିବର୍ତନ ହୋଇଥିବା ଆଶଙ୍କା କରିଥିଲେ ପରିବେଶବିତ୍ ।

ସବୁଠାରୁ ବଡକଥା ହେଉଛି ସୁନ୍ଦରୀକୁ କାହ୍ନା ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ୨୦୨୦ରେ ଆବେଦନ ହେଲା । ଆଉ କୋର୍ଟଙ୍କ ନିର୍ଦ୍ଦେଶରେ ସୁନ୍ଦରୀକୁ କାହ୍ନାକୁ ଫେରାଇ ନେବା ସହ ତାର ଜଙ୍ଗଲ ପ୍ରବୃତି ଫେରାଇ ଆଣିବାକୁ ପ୍ରୟାସ କରାଗଲା । କିନ୍ତୁ ସୁନ୍ଦରୀ ଓଡିଶାରେ ଥିବାବେଳେ ବନ ବିଭାଗର କର୍ମଚାରୀ ତାକୁ ଖାଇବାକୁ ମାଂସ ଦେଉଥିଲେ । ସେଥିପାଇଁ ତା ପାଖରେ ମଣିଷର ଛାପ ପଡିଥିବା ଲକ୍ଷଣ ରହିଥିବା ବିଶେଷଜ୍ଞ କହିଲେ । ଓଡିଶାରୁ ଫେରିବା ପରେ ସୁନ୍ଦରୀକୁ ଯେତେ ପ୍ରଶିକ୍ଷଣ ଦେଲେ ବି ସେ ଆଉ ଜଙ୍ଗଲରେ ରହିପାରିବ ନାହିଁ ବୋଲି ଉଲବ୍ଧି କଲେ ବିଶେଷଜ୍ଞ । କାରଣ ତାର ଶିକାର ପ୍ରବୃତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଥିଲା । ଆଉ  ସେବେଠାରୁ କାହ୍ନା ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ଖୁଆଡ଼ରେ ରହି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓଡିଶା ଫେରନ୍ତା ବାଘୁଣୀ ସୁନ୍ଦରୀା