ନମୁନା ପରୀକ୍ଷାରେ ଓଡିଶା ଆଗୁଆ : ଲଗାତାର ତିନି ଦିନ ଧରି ଦୈନିକ ହେଉଛି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା; ମୋଟ ୧୦ ଲକ୍ଷ ଅତିକ୍ରମ କଲା କରୋନା ଟେଷ୍ଟ

80

କନକ ବ୍ୟୁରୋ : ନମୁନା ପରୀକ୍ଷାରେ ଓଡିଶା ଆଗୁଆ । ରାଜ୍ୟରେ ଲଗାତାର ତିନି ଦିନ ଧରି ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଂଟାରେ ୫୦ ହଜାର ୫୨୫ ନମୁନା ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିସହ ରାଜ୍ୟର ମୋଟ କରୋନା ଟେଷ୍ଟ ୧୦ ଲକ୍ଷ ଅତିକ୍ରମ କରିଛି । ଓଡ଼ିଶା ଉପରେ କର୍ଣ୍ଣାଟକ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ ନମୁନା ପରୀକ୍ଷା ହେଉଛି, ଯାହା ଦେଶରେ ପ୍ରଥମ। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ପ୍ରମୁଖ ଅଛନ୍ତି । ଏ କ୍ଷେତ୍ରରେ ଜାତୀୟ ହାର ୫୪୨ ରହିଛି ।

ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ କରୋନା ସଂକ୍ରମଣରେ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଛି । ଗତ ୨୪ଘଣ୍ଟାରେ ଜିଲ୍ଲାରେ ୨୪୩ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୧୦ରେ ପହଞ୍ଚିଛି । ଏହା ପୂର୍ବରୁ ୫ ହଜାର ଓ ୧୦ ହଜାର ସଂଖ୍ୟା ଅତିକ୍ରମ କରିବାରେ ମଧ୍ୟ ଗଞ୍ଜାମ ପ୍ରଥମ ଜିଲ୍ଲା ରହିଥିଲା । ରାଜ୍ୟର ସମୁଦାୟ ସଂକ୍ରମଣର ୨୪ ପ୍ରତିଶତ ରୋଗୀ ଗଞ୍ଜାମରୁ ରହିଛନ୍ତି । ଅପରପକ୍ଷରେ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ନିୟମିତ ଭାବେ ବଢ଼ି ବଢ଼ି ଚାଲିଛି । ସମୁଦାୟ ସଂଖ୍ୟା ତୁଳନାରେ ଯଦିଓ ଖୋର୍ଧା ଜିଲ୍ଲା ଗଞ୍ଜାମ ତୁଳନାରେ କମ୍ ରହିଛି, ମାତ୍ର ସକ୍ରିୟ ରୋଗୀଙ୍କ କ୍ଷେତ୍ରରେ ଖୋର୍ଧା ଆଗରେ ରହିଛି । ଏବେ ଜିଲ୍ଲାରେ ସାଢ଼େ ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଏପରିକି ଖୋର୍ଧାରେ ସୁସ୍ଥ ହାର ମଧ୍ୟ ଉତ୍ସାହଜନକ ନୁହେଁ ।