ଅଧା ଖୋଲିଲା ଓଡିଶା । ଆଜି ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ୍ କର୍ଫ୍ୟୁ : ଗଂଜାମ, ଖୋର୍ଦ୍ଧା, ଗଜପତି , କଟକ ଜିଲ୍ଲା ଓ ରାଉରକେଲାରେ ଦୁଇଦିନିଆ ସାପ୍ତାହିକ ସଟଡାଉନ

378

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଅଗଷ୍ଟ ମାସର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଅର୍ଥନୀତିକୁ ଆଖି ଅଗାରେ ରଖି ଅନଲକ୍ ୩ . ୦ ରେ କେତେକ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ନାଇଟ୍ କର୍ଫ୍ୟୁ କଟକଣା ପୂର୍ବଭଳି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବ । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ, ସିନେମାହଲ, ଥିଏଟର, ସୁଇମିଙ୍ଗ ପୁଲ ବନ୍ଦ ରହିବ । ସ୍କୁଲ ଓ କଲେଜ ବନ୍ଦ ରହିବ କିନ୍ତୁ ଖାତା ଦେଖା, ପରୀକ୍ଷା ଓ ପ୍ରଶାସନିକ କାର୍ଯ୍ୟ ଚାଲୁ ରହିବ । ଧାର୍ମିକ, ସାମାଜିକ, ସାଂସ୍କୃତିକ ସମାବେଶ ସହ ସମସ୍ତ ସମାବେଶ ବନ୍ଦ ରହିବ । ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଳା ଓ ରାଉରକେଲା ମୁନସିପାଲିଟିରେ ସାପ୍ତାହିକ ସଟଡାଉନ୍ ଜାରି ରହିବ ।

ତେବେ ଆଜି ଓ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ ତାରିଖ ଏବଂ ୨ ତାରିଖ ସଟଡାଉନ କଟକଣାରେ କୋହଳ କରାଯାଇଛି । ଏହି ଦୁଇ ଦିନ ଅପରାହ୍ନ ଗୋଟାଏରୁ ରାତି ୯ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ବିବାହ ଉତ୍ସବରେ ୫୦ ଜଣ, ଅନ୍ତିମ ସଂସ୍କାରରେ ୨୦ ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଅଗଷ୍ଟ ୫ ତାରିଖରୁ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ଯୋଗ ଓ ଜିମ୍ନାସିୟମ ଖୋଲିବ । ସେଲୁନ , ସ୍ପା, ବିଉଟି ପାର୍ଲର କୋଭିଡ୍ ନିୟମ ମାନି ଖୋଲିପାରିବେ । ତେବେ କୋଭଡ୍ -୧୯ର କେତେକ କଟକଣାକୁ ବାଧ୍ୟତାମୂଳକ ଭାବେ ମାନିବାକୁ ନିର୍ଦ୍ଦେଶବଳୀରେ କୁହାଯାଇଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧି ନଥିଲେ, କିମ୍ବା ଭଲ ଭାବେ ପିନ୍ଧି ନଥିଲେ ୧ହଜାର ଟଙ୍କା ଫାଇନ ପଡିବ । ୨ଥରରୁ ଅଧିକ ଥର ଧରାପଡିଲେ ୫ ହଜାର ଜରମାନା ଦେବାକୁ ପଡିବ । ବିବାହ ଉତ୍ସବରେ ଅଧିକ ସମାବେଶ ହେଲେ ୧୦ ହଜାର ଟଙ୍କା ଫାଇନ୍ ସହ ଉତ୍ସବ ସ୍ଥଳକୁ ସିଲ୍ କରାଯିବ । ଦୋକାନରେ ସାମାଜିକ ଦୂରତା ନିୟମ ନମାନିଲେ ଦୋକାନୀ ୧୦ ହଜାର ଟଙ୍କା ଜରିମାନା ସହ ଏକ ସପ୍ତାହ ସିଲ୍ ହେବ ଅନୁଷ୍ଠାନ । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଫାଇନ୍ ସହ ଏକ ମାସ ସିଲ ହେବ ଅନୁଷ୍ଠାନ । ସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ହେବ । କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରେ ପୂର୍ବଭଳି କଟକଣା ଜାରି ରହିବ । ଅବରୋଧ ଅଂଚଳରେ କେବଳ ଜରୁରୀ ସେବା ଉପଲବ୍ଧ ହେବ ।