ଆସନ୍ତା ଶନିବାର ପୁରୀ ବେଳାଭୂମିରେ ହେବ ସଫେଇ କାର୍ଯ୍ୟକ୍ରମ । ବେଳାଭୂମିକୁ ସଫା କରିବେ ପ୍ରାୟ ୫ ହଜାର ସ୍ୱେଚ୍ଛାସେବୀ

285
କନକ ବ୍ୟୁରୋ : ଆସନ୍ତା ଶନିବାର ଦିନ ‘ମୋ ବିଚ’ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ବେଳାଭୂମିକୁ ସଫେଇ କରାଯିବ । ପ୍ରାୟ ୫ ହଜାର ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୁରୀ ବେଳାଭୂମିକୁ ସଫା କରିବେ । ପୁରୀ ବେଳାଭୂମିର ପ୍ରାୟ ୧୦୦ଟି ସ୍ଥାନରେ ଏହି ସଫେଇ କାର୍ଯ୍ୟ କରାଯିବ । ଏହାସହ ପରିବେଶ ପ୍ରଦୂଷଣ ନ କରିବାକୁ ସଚେତନ ମଧ୍ୟ କରାଯିବ ।
ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସବୁ ବର୍ଗର ଲୋକଙ୍କୁ ଅପିଲ କରାଯାଇଛି । ପାଖାପାଖି ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ସଫେଇ କାର୍ଯ୍ୟ କରାଯିବ । ଏହାସହ ବେଳାଭୂମିକୁ କିଭଳି ସଫା ରଖାଯିବ ସେଥିପାଇଁ ସମସ୍ତେ ଶପଥ ଗ୍ରହଣ କରିବେ । ପୁରୀରେ ଏହି ସଫେଇ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ପୂରା ରାଜ୍ୟରେ ଏହି ଅଭିଯାନକୁ ଜାରି ରଖାଯିବ । ଖାସକରି ଫନି ପରେ ଅଳ୍ପ କିଛି ଦିନ ମଧ୍ୟରେ କିଭଳି ପୁରୀ ପୁଣିଥରେ ଅଣ୍ଟା ସଳଖି ଛିଡା ହେଲା ସେହି ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯିବ ।