ରବିବାର ସକାଳ ୭ ରୁ ରାତି ୯ଟା, ୧୪ ଘଂଟା ପାଇଁ ‘ଜନତା କର୍ଫ୍ୟୁ’: କାଲି ଜନତା କର୍ଫ୍ୟୁ ପାଇଁ ମୋଦିଙ୍କ ଅନୁରୋଧ; ସଂଧ୍ୟାରେ ଥାଳି,ତାଳି ବଜାଇ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇବେ ଦେଶବାସୀ

ଜାରି ରହିବ ଜରୁରୀ ସେବା

1,652

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆସନ୍ତାକାଲି ଦେଶବାସୀ ଜନତା କର୍ଫ୍ୟୁ ପାଳିବେ । ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ସମର୍ଥନ ଜଣାଇଛି ଓଡିଶା । ଆସନ୍ତାକାଲି ରାଜ୍ୟରେ ଘରୋଇ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତି ହୋଇଛି ।

ରବିବାର ସକାଳ ୭ ରୁ ରାତି ୯ଟା । ୧୪ ଘଂଟା ପାଇଁ ‘ଜନତା କର୍ଫ୍ୟୁ’ । ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଜନତା କର୍ଫ୍ୟୁ । ରବିବାର ନିଜେ ନିଜକୁ ବନ୍ଦୀ କରିବେ ଜନତା । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିବ । ସକାଳ ୭ ରୁ ରାତି ୯ ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଗଡିବନି ପ୍ରାୟ ୧୪ ହଜାର ଘରୋଇ ବସ୍ । ରବିବାର ସାରା ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ।

ସଂକ୍ରମଣକୁ ରୋକିବ ସାମାଜିକ ଦୂରତା..କର୍ଫ୍ୟୁ ପାଇଁ ଅଂଟା ଭିିଡିଲା ଓଡି଼ଶା…ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ବର୍ତମାନ ସାମାଜିକ ଦୂରତା ହେଉଛି ସବୁଠାରୁ ବଡ ଅସ୍ତ୍ର । ଯଦି ସାରା ଦେଶ ଏଥିରେ ସାମିଲ ହେବ ତେବେ ସମସ୍ତଙ୍କ ମଧ୍ୟରେ ଦୂରତା ବଢିବ ନିଶ୍ଚୟ । ଏବଂ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ସମର୍ଥନ ଜଣାଇ ଆଗେଇ ଆସିଛନ୍ତି ଓଡିଶାବାସୀ ।

ରବିବାର ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ଘୋଷଣା କରାଯାଇଛି । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣାରୁ ବାହାରୁଥିବା ସମସ୍ତ ସୁପରଫାଷ୍ଟ ଓ ଏକ୍ରପ୍ରେସ ଟ୍ରେନକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ, ଅନୁଗୁଳ, ଗୁଣୁପୁରରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।