କନକ ବ୍ୟୁରୋ : କୋଭିଡ ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ଆମକୁ ଅଧିକ କୋଭିଡ କଟକଣା ମାନିବାକୁ ହେବ । ଆମ ସମସ୍ତଙ୍କ ସଚେତନ ଯୋଗୁଁ ଆମେ କୋଭିଡକୁ ନିୟନ୍ତ୍ରଣ କରିପାରିଛୁ । ଆଗାମୀ ୨ ମାସ ଆହୁରି ସଚେତନ ରହିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟୀକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟୀକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟୀକାକରଣ କାର୍ୟ୍ୟକ୍ରମକୁ ସଫଳ ଭାବରେ କାର୍ୟ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟୀକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଟୀକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ୟ୍ୟକ୍ରମ ହେବ। ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ସେହିପରି ଜୀବନଜୀବିକା କାର୍ୟ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ ଏ ସଂପର୍କରେ ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ୟ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Screen-Shot-2021-01-06-at-6.53.49-PM.png)