ଚାରି ଦିନ ହେଲା ରାଜ୍ୟରେ କମୁଛି କରୋନା ସଂଖ୍ୟା, ଏପଟେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ଓଡ଼ିଶା

186

କନକ ବ୍ୟୁରୋ: ରାଜ୍ୟରେ ଲଗାତାର ଭାବେ କମି ଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଟେଷ୍ଟ ପଜିଟିଭିଟି ହାର ବି ତଳମୁହାଁ । ହେଲେ, ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି, ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏବଂ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସ୍ପଷ୍ଟ କରିଛନ୍ତି । ତେବେ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ରାଜ୍ୟ ।

ଓଡ଼ିଶା କରୋନା ମିଟର 

ତାରିଖ         ସଂକ୍ରମଣ       ଟେଷ୍ଟ              ସଂକ୍ରମଣ ହାର

୨୪ ଜାନୁଆରୀ                    ୭,୨୯୧       ୬୧,୯୬୯            ୧୧.୭୫%

୨୩ ଜାନୁଆରୀ                ୮,୫୨୦   ୭୨,୫୨୪ ୧୧.୭୪%

୨୨ ଜାନୁଆରୀ                ୮,୮୪୫   ୬୮, ୬୨୫ ୧୨.୮୯%

୨୧ ଜାନୁଆରୀ                ୯,୮୩୩    ୭୪,୪୪୩ ୧୩.୨୦%

୨୦ ଜାନୁଆରୀ                ୧୦,୩୬୮    ୭୪,୨୩୪         ୧୩.୯୬%

ରାଜ୍ୟର ଗତ ପାଂଚ ଦିନରେ କରୋନା ମିଟର କହୁଛି କେମିତି ଲଗାତାର ଭାବେ ସଂକ୍ରମଣ ହ୍ରାସ ପଇବାରେ ଲାଗିଛି । ପ୍ରାଖାପାଖି ସପ୍ତାହ ହେଲା ପ୍ରତିଦିନ ପୂର୍ବଦିନ ତୁଳନାରେ ଦୈନିକ କମ୍ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରବିବାର ରାଜ୍ୟରେ ୮ ହଜାର ୫୨୦ ମାମଲା ଆସିଥିବାବେଳେ ସୋମବାର ୭ ହଜାର ୨୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବଦିନ ତୁଳନାରେ ୧୯୨୯ କମ୍ । ଏଥିସହ ଟେଷ୍ଟ ପଜିଟିଭିଟି ରେଟ୍ ବି ୧୨ % ତଳେ ରହିଛି ।

ଦେଶର ମେଟ୍ରୋ ସହର ମାନଙ୍କରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା  ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ସ କୋଭିଡ୍ ଜେନୋମିକ୍ସ କନ୍ସୋର୍ଟିୟମ ବା ଇନ୍ସାକଗ୍ର ସୂଚନା ଦେବା ପରେ ଓଡିଶାରେ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହେଲାଣି କି ନାହିଁ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । କିନ୍ତୁ ଓଡିଶାରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏବଂ ଓଡିଶା ଏବେ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ନିଶ୍ଚୟ ବଢ଼ିଥିବ ବୋଲି ସେ ଆକଳନ କରିଛନ୍ତି ।

ରାଜ୍ୟରେ ମାତ୍ର ୨ ପ୍ରତିଶତରୁ କମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ଚିନ୍ତାର ବିଷୟ ନାହିଁ । କିନ୍ତୁ ସଂକ୍ରମଣ ରୋକିବାକୁ ସାମାନ୍ୟ ଲକ୍ଷଣ ଥିଲେ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ।

ଦେଶରେ ତଳମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୩ ଲକ୍ଷ ୬ ହଜାର ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ରବିବାର ତୁଳନାରେ ୨୭ ହଜାର ୪୬୯ ଜଣ କମ । ୍ ରବିବାର ମୋଟ୍ ୩ ଲକ୍ଷ ୩୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ଦୈନିକ ସଂକ୍ରମଣ ହାର ୨୦.୭୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୦୩ ପ୍ରତିଶତ ରହିଛି । ଗତ ଗୁରୁବାରଠାରୁ କରୋନା ଗ୍ରାଫ୍ ଧିରେଧିରେ ତଳକୁ ଖସୁଥିବା ଦେଖା ଯାଉଛି । ଅନୁମାନ କରାଯାଉଛି କେତେକ ସହରରେ କରୋନା ପିକ୍ ଛୁଇଁ ତଳକୁ ଖସିବା ଆରମ୍ଭ କରିଥିବାବେଳେ ଆଉ କେତେକ ସହରରେ ପିକ୍ ଆସିବା ଆହୁରି ବାକି ରହିଛି ।