ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର : ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି, କେନ୍ଦ୍ରକୁ କଲେ ସମାଲୋଚନା

231

କନକ ବ୍ୟୁରୋ : କରୋନା ଟିକାର ଚାହିଦା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ତେବେ ଟିକା ପାଇଁ ଓଡିଶାର ଗ୍ଲୋବାଲ ଟେଣ୍ଡର ନିଷ୍ପତିକୁ ପ୍ରସଂଶା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି । ଏଥିସହ କେନ୍ଦ୍ର ସରକାରଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି । ଓଡିଶା ସରକାରଙ୍କ ଭଳି କେନ୍ଦ୍ର ସରକାର ମଧ୍ୟ ଗ୍ଲୋବାଲ ଟେଣ୍ଡର ନକରି ଟିକାମୈତ୍ରୀ ଜରିଆରେ ବିଶ୍ୱଗୁରୁ ବନିବାକୁ ଚାହୁଁଥିଲେ ବୋଲି ସେ ସମାଲୋଚନା ମୂଳକ ଟିପ୍ପଣୀ କରିଛନ୍ତି । ସେଭଳି ନକରି ଭାରତ ସରକାର ମଧ୍ୟ ଦେଶର ଟିକା ଚାହିଦା ପୂରଣ କରିବାକୁ ଓଡିଶା ସରକାରଙ୍କ ଭଳି ଗ୍ଲୋବାଲ ଟେଣ୍ଡର କରାଇଥିଲେ ଭଲ ହୋଇଥାନ୍ତି ବୋଲି ତେରେଛା ବାଣ ମାରିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା ।

ସେପଟେ ଗ୍ଲୋବାଲ ଟେଣ୍ଡର ପାଇଁ ଦୁଇଟି କମିଟି ଗଠନ କରାଯାଇଛି ଏବଂ ଖୁବଶୀଘ୍ର ଏହାର ମୋଡାଲିଟି ସ୍ଥିର ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ତାଙ୍କ କହିବା ହେଲା ଟିକା ଦ୍ୱାରା ଦୁଇଟି ଲାଭ ହେଉଛି । ସଂକ୍ରମଣ କମିବା ସହିତ କରୋନାର ଭୟାବହତା ମଧ୍ୟ କମିପାରୁଛି । ତେଣୁ ଚାହିଦା ଅନୁସାରେ ବର୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟିକା ଯୋଗାଣ ହୋଇପାରୁ ନାହିଁ । ତେଣୁ ଗ୍ଲୋବାଲ ଟେଣ୍ଡର କଲେ ଅଧିକ କମ୍ପାନୀ ଯୋଡିହେବା ସହ ଟିକାର ମୂଲ୍ୟ ମଧ୍ୟ କମ୍ ପଡିପାରେ ।