କନକ ବ୍ୟୁରୋ: ସେ ଶିଶୁ କନ୍ୟା ବୋଲି ଫିଙ୍ଗିଦିଆଗଲା ନା କେଉଁ ଗର୍ଭର ପାପ ବୋଲି ଫୋପାଡ଼ି ଦେଲ? ନିର୍ଦ୍ଦୟୀ ମା’, ପିଶାଚୀ ମା’, ପାପୀ ମା’... ଘୃଣାର ଘିଅରେ ଜଳୁଥିବା ପ୍ରତ୍ୟେକ ଲୋକଙ୍କ ମୁହଁରେ ଏବେ କେବଳ ଏହି ସଂଜ୍ଞାହୀନ ଶବ୍ଦ । କାରଣ ଏ ନବଜାତ ଶିଶୁକନ୍ୟାଟି ଯେଉଁ ମା’ର ଗର୍ଭରୁ ଜନ୍ମନେଇଛି ସେ’ ମା ପାଖରେ ଏ ଖବର ପହଞ୍ଚିଥିବ, ଅପରିଚିତ କଅଁଳ କଢ଼ିର କାନ୍ଦ ତା’ କାନରେ ନିଶ୍ଚୟ ପଡ଼ିଥିବ, ହେଲେ କେମିତି ତା’ ବିବେକ ତାକୁ ବାଧା ଦେଉନି କେଜାଣି? ସାତ ଘଣ୍ଟା ଧରି ବୋରୱେଲ ଭିତରେ ସଂଘର୍ଷ କରୁଥିବା ନବଜାତ ନୂଆ ଜନ୍ମ ପାଇବା ପରେ ଅନେକ ଲୋକଙ୍କ ମନରେ ଏବେ ଏମିତି ଅନେକ ପ୍ରଶ୍ନ...

Advertisment

ହଁ, ସମ୍ବଲପୁରର ଏ ବୋରୱେଲ ଘଟଣା ଦେଖିବା ପରେ ଆମେ ଛାତିପିଟି କହିପାରିବା, ଏବେ ବି ସେ ଘୃଣ୍ୟ ମାନସିକତା ସମାଜରୁ ଯାଇନି । ପୁଅଟିଏ ଜନ୍ମହେଲେ ସ୍ୱର୍ଗକୁ ସିଡ଼ି ଲଗେଇ ଦେବ ଆଉ ଝିଅଟିଏ ହେଲେ ପର ଘରକୁ ଚାଲିଯିବ । ଏଭଳି ତୁଚ୍ଛ ସ୍ୱପ୍ନ ଦେଖୁଥିବା ଦୋହମୁହାଁ ଲୋକ ଜାଣିନାହାନ୍ତି ଯେ. ତାଙ୍କ ଭାଗ୍ୟ ଫିଟେଇବାକୁ ଥିବା ଭାଗ୍ୟଲକ୍ଷ୍ମୀକୁ ସେମାନେ ଭରା ଜଙ୍ଗଲରେ ଫିଙ୍ଗିଦେଇ ଆସୁଛନ୍ତି । ବୋରୱେଲ ଭିତରେ ଲୁହାର ସୁରକ୍ଷା କବଚ ସିନା ତାକୁ ବଞ୍ଚାଇଦେଲା । କିନ୍ତୁ ଟିଭିରେ ଅହରହ ଅପରେସନକୁ ଦେଖି ସେ ଜନ୍ମକଲା ମା’ର ଆଖିରୁ କ’ଣ ଟୋପେ ଲୁହ ଝରିନଥିବ? କୁନି ଜୀବନ ପାଇଁ ଓଡ଼ିଶା କାଳିଆ କାଳିଆ ଡାକୁଥିଲା ବେଳେ ସେ ସୈତାନ ମା’ର କାନରେ କ’ଣ କୁନିର କାନ୍ଦ ପଡ଼ିନଥିବ?

ସେ ଜାଣିନି ତା’ର ପରିଚୟ କ’ଣ? ସେ ଜାଣିନି କେଉଁ ପାପ ଗର୍ଭରୁ ଗୋଡ଼କାଢ଼ି ଏଦୁନିଆକୁ ଆସିଲା । ନିଛାଟିଆ ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ଭିତରେ ବଞ୍ଚିବାକୁ ତାକୁ ସଂଘର୍ଷ କରିବାକୁ ପଡ଼ିଲା, ଏବେ ସିନା ହସ୍ପିଟାଲ ଏନଆଇସିୟୁରେ ଶିଶୁକନ୍ୟାଟି ଚିକିତ୍ସିତ ହେଉଛି, ହେଲେ ହେତୁ ପାଇବା ପରେ ଯଦି ଦୁନିଆ ଆଗରେ ପଚାରେ ମୋ ମାଆ ବାପା କିଏ? ତୁମେ ଏ ଖବର ଦେଖି ମନକୁ ବୁଝାଇପାରିବ ତ?

ପାଟି ଫିଟିନଥିବା ସେ କୁନି ଜୀବନ ମନେ ମନେ ହୁଏତ ଏମିତି କିଛି ପଚାରୁଥିବ, ମୁଁ ଆଉ କାହାର ପାପକର୍ମର ପ୍ରାୟଶ୍ଚିତ କାହିଁକି କରିବି? ମୋତେ ବୋଝ ଭାବି ଫିଙ୍ଗିଦେଲ, ଆଉ ଯେଉଁ ବୋରୱେଲରେ ମୋତେ ଫିଙ୍ଗି ଚାଲିଗଲ ସେ ବୋରୱେଲରୁ ମୁଁ ବଞ୍ଚିକି ଫେରିଲି । ଏବେ ଅପରଚିତ, ଅଜଣା, ଅନାଥ ବୋଲି ଖବର ଖେଳିବା ପୂର୍ବରୁ ସାହସ ଅଛି ତ ଥରେ ମୋ ଆଖିରେ ଆଖି ମିଶେଇ ଦେଖ । ଜନ୍ମହେବା ପରେ ଯେଉଁ ପାପୁଲିକୁ ଧରି ମାଆ ବୋଲି ଭାବିଥିଲି ସେ ଶେଷ ଛୁଆଁକୁ ଥରେ ଅନୁଭବ କରି ଦେଖ । ମୁଁ ଜାଣେ ତମେ ପାରିବନି, କାରଣ ମୋତେ ପରକରି ମୋ ପରିଚୟ ହରାଇ, ମୋଠୁ ବାପା-ମାଆ ଡାକିବାର ସୁଃଖ ଛଡ଼ାଇ ନେଇଛ ତମେ, କେବଳ ତମେ...

(ଇତି)
ପୁନର୍ଜନ୍ମ ପାଇଥିବା
ଜଣେ ଅଲୋଡା କନ୍ୟା...