୨୦୨୪ ନିର୍ବାଚନର ପରୀକ୍ଷାଗାର ପାଲଟିବ କି ଓଡ଼ିଶା ? କେନ୍ଦ୍ରୀୟ ନେତାଙ୍କ ଫୋକସରେ ରାଜ୍ୟ ।

271

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ନେଇ ଚର୍ଚ୍ଚା ଭିତରେ, ପ୍ରମୁଖ ରାଜନୈତିକ ଦଳ ଲଢ଼େଇ ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ, ବିଜେପି ଜନସମ୍ପର୍କ ଯାତ୍ରା କରୁଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା ଓଡିଶା ଆସିବେ । ବିଜେପି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବେ । ସେହିପରି ଆଗକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

  • ଦିଲ୍ଲୀ ନେତାଙ୍କ ଫୋକସରେ ଓଡ଼ିଶା
  • ଓଡ଼ିଶା ଆସିବେ ମୋଦୀ, ରାହୁଲ୍
  • ଓଡ଼ିଶା ଉପରେ ଉଭୟ ବିଜେପି ଓ କଂଗ୍ରେସର ଆଖି

ଦେଶରେ ଶାସନ କରୁଥିବା ବିଜେପି ଏବଂ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଉଦ୍ୟମ କରୁଥିବା କଂଗ୍ରେସ, ୨୦୨୪ ନିର୍ବାଚନର ବହୁ ପୂର୍ବରୁ ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି । ଆଉ ଏହି ଦୁଇ ଜାତୀୟ ଦଳର ଫୋକସରେ ରହିଛି ଓଡ଼ିଶା । ଉଭୟ ବିଜେପି ଓ କଂଗ୍ରେସ ଦଳର ଶୀର୍ଷସ୍ତରୀୟ ନେତାଙ୍କ ଓଡ଼ିଶାଗ୍ରସ୍ତ ସୂଚୀ ଏହାର ଆଭାସ ଦେଉଛି ।

ମହା ଜନସମ୍ପର୍କ ଅଭିଯାନକ୍ରମରେ ଓଡ଼ିଶା ଆସିବେ ଭାରତୀୟ ଜନତା ପାର୍ଟିର ୪ ପ୍ରମୁଖ ଚେହେରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜାଥ ସିଂ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଓଡ଼ିଶାରେ ହେବାକୁ ଥିବା ୪ଟି ବିଶାଳ ରାଲିରେ ସାମିଲ ହେବେ । ଉଦ୍ଦେଶ୍ୟ ସ୍ପଷ୍ଟ ଯେ, ମୋଦି ସରକାରଙ୍କ ସଫଳତା ବଖାଣିବେ, ୨୦୨୪ ପାଇଁ ଦଳକୁ ସମର୍ଥନ କରିବା ପାଇଁ ଅନୁରୋଧ କରିବେ ।

  • ବିଜେପିର ରାଲି ବନାମ କଂଗ୍ରେସର ସମାବେଶ
  • ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସର ମେଗା ପ୍ଲାନ୍

ଚଳିତ ମାସରେ ବିଜେପିର ବଡ଼ ବଡ଼ ଚେହେରା ଓଡ଼ିଶା ଆସୁଥିବା ବେଳେ ଅକ୍ଟୋବର ମାସରେ କଂଗ୍ରେସର ତୁଙ୍ଗ ନେତା ଓଡ଼ିଶା ଆସିବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି, ସମାବେଶ ଓ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ଫୋକସରେ ରହିଛି- ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶା । ଏହି ତିନୋଟି କ୍ଷେତ୍ର ସମେତ ଭୁବନେଶ୍ୱରରେ ଗୋଟିଏ ଲେଖାଏଁ ସମାବେଶ କରିବେ । ତେବେ ଜାତୀୟ ଦଳର ଗୁଡ଼ିକର କାର୍ଯ୍ୟକ୍ରମ ଏକ ସ୍ୱାଭାବିକ୍ ରାଜନୈତିକ ପ୍ରକ୍ରିୟା । ଏଥିରେ ବିଚଳିତ ହେବାର ନାହିଁ ବୋଲି କହିଛି ବିଜେଡି ।

ମହା ଜନସମ୍ପର୍କ ଅଭିଯାନ ଜରିଆରେ ଓଡ଼ିଶାରେ ୪ଟି ମହାସମାବେଶ କରିବ ବିଜେପି । ବିଜେପିର ଫୋକସରେ ରହିଛି ସଂସଦୀୟ କ୍ଷେତ୍ର । ଏପଟେ କଂଗ୍ରେସ ମଧ୍ୟ ଓଡ଼ିଶାର ସବୁ ଅଞ୍ଚଳକୁ ଲକ୍ଷ୍ୟ କରି ୪ଟି ସ୍ଥାନରେ ରୋଡ ସୋ ଓ ସମାବେଶ କରିବ । ତେବେ ଜାତୀୟ ଦଳ ଗୁଡ଼ିକର ଏହି କସରତ, ଶାସକ ବିଜେଡିକୁ କେତେ ପ୍ରଭାବିତ କରିପାରିବ, ତାହା ଦେଖିବାକୁ ବାକି ରହିଲା ।