ଆଜିଠୁ ଓଡ଼ିଶାରେ ଲକଡାଉନ କଟକଣା ଆଂଶିକ କୋହଳ : ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ

1,556

କନକ ବ୍ୟୁରୋ : ଆଜିଠାରୁ ଲକଡାଉନ କଟକଣାରେ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ପୂର୍ବରୁ ଯେଉଁଭଳି ତାଲାବନ୍ଦ କଟକଣା ଥିଲା, ତାହାକୁ ମିଛି ମାତ୍ରାରେ କୋହଳ କରାଯାଇଛି । ସଂକ୍ରମଣ ହାରକୁ ଦେଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟାଗୋରୀ କରି କଟକଣାକୁ କୋହଳ କରିଛନ୍ତ ସରକାର । ଯେଉଁଠି ସଂକ୍ରମଣ ହାର କମ ରହିଛି, ସେଠାରେ କଟକଣା ଅଧିକ କୋହଳ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମର୍ନିଂ ୱାକ୍, ସାଇକେଲିଂ, ଜଗିଂ ଆଦି ବ୍ୟାୟାମ କରିବାକୁ ଅନୁମତି ଦିଆଯାଇଛି । ହେଲେ ପାର୍କଗୁଡିକ ବନ୍ଦ ରହିବ ବୋଲି କୁହାଯାଇଛି ।

କୋହଳ (କେଉଁ ଜିଲ୍ଲାରେ କେତେବେଳେ)
ସକାଳ ୬ରୁ ସନ୍ଧ୍ୟା ୫: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା

ସକାଳ ୬ରୁ ଦିନ ୧: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର

ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକୁ ନିର୍ଦ୍ଧାରିତ ସମୟ ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ଉଠା ଦୋକାନରେ ଖାଦ୍ୟ ବିକ୍ରିକୁ ଅନୁମତି ଦିଆଯାଇଛି। ତେବେ ସେଠାରେ କେବଳ ଖାଦ୍ୟ ପାର୍ସ‌ଲ୍‌ ଦିଆଯିବ। ସେହିପରି ସାଇକେଲ୍‌, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ଲୋକଙ୍କୁ ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ସକାଳ ୬ଟାରୁ ୯ଟା ତିନି ଘଣ୍ଟା ସମୟ ଦିଆଯାଇଛି। କିନ୍ତୁ ପାର୍କ, ଜିମ୍ ଆଦି ଖୋଲିପାରିବ ନାହିଁ।

କାଟାଗୋରି-ଏରେ ଥିବା ୧୭ଟି ଜିଲ୍ଲାରେ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ। କୌଣସି ଜିଲ୍ଲାରେ ଶିକ୍ଷାନୁଷ୍ଠାନ, ମଲ୍‌, ସେଲୁନ୍, ସ୍ପା, ସୁଇମିଂ ପୁଲ୍‌, ସିନେମା ହଲ୍‌ ଆଦି ଖୋଲିବ ନାହିଁ। ଦୈନିକ ଓ ସାପ୍ତାହିକ ହାଟ ପୂର୍ବ ପରି ବନ୍ଦ ରହିବ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ। ସବୁ ପ୍ରକାର ଯାତ୍ରବାହୀ ବସ୍‌ ଚଳାଚଳ ବାତିଲ କରାଯାଇଛି। ରାଜ୍ୟ ଭିତରେ କିମ୍ବା ବାହାରକୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ।

ସରକାରୀ ଓ ବେସରକାରୀ ଅଫିସ୍‌ଗୁଡ଼ିକ ୫୦% କର୍ମଚାରୀରେ କାର୍ଯ୍ୟ କରବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ପୁନର୍ବାର କଟକଣା ଜାରି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ସ୍ଥାନୀୟ ପରିସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଉଛି। ସଂକ୍ରମଣ କମିଛି। ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଆମେ ଶୀଘ୍ର କରୋନାକୁ ଦୂରେଇ ଦେଇପାରିବା। ବିନା କାମରେ କେହି ବାହାରକୁ ବାହାରନ୍ତୁ ନାହିଁ। କାମରେ ଗଲେ ମାସ୍କ ନିଶ୍ଚିତ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।