କେମିତି ହେବ ପଞ୍ଚାୟତ କାଉଣ୍ଟିଙ୍ଗ ? କେଉଁ ନେତାଙ୍କ ଫଳ ଆସିବ କେଉଁ ତାରିଖରେ ? ଜାଣନ୍ତୁ ଗଣତିର ପୂରା ପ୍ରକ୍ରିୟା ।

1,676

କନକ ବ୍ୟୁରୋ : ପଞ୍ଚାୟତ ଭୋଟର ଚାରି ପର୍ଯ୍ୟାୟ ସରିବା ପରେ ନେତାଙ୍କ ନଜର ରହିଛି ଏବେ ଭୋଟ ଗଣତି ଉପରେ । ଫେବୃୟାରୀ ୨୬, ୨୭, ୨୮ ତାରିଖ ତିନି ଦିନ ଧରି ବ୍ଲକ ମୁଖ୍ୟାଳୟରେ ବାଲାଟ ବକ୍ସ ଖୋଲାଯାଇ ଗଣତି କରାଯିବ । ପ୍ରତି ବ୍ଲକ ଅଧୀନରେ ଆସୁଥିବା ଜିଲ୍ଲାପରିଷଦ ଜୋନ ଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି । କ୍ରମିକ ନମ୍ବର ଅନୁସାରେ ଗଣତି କରାଯାଇ, ଫଳ ପ୍ରକାଶ କରାଯିବ । ଆସନ୍ତୁ ଜାଣିବା ଗଣତିର ପୁରା ପ୍ରକ୍ରିୟା କିଭଳି ରହିବ ।

କେମିତି ହେବ ପଞ୍ଚାୟତ କାଉଣ୍ଟିଙ୍ଗ ? କ’ଣ ରହିବ ଗଣତିର ପ୍ରକ୍ରିୟା ? କେଉଁ ନେତାଙ୍କ ଫଳ ଆସିବ କେଉଁ ତାରିଖରେ ? ୨୪ରେ ସରିବ ପଞ୍ଚାୟତ ନିର୍ବାଚନ । ଫଳାଫଳକୁ ନେଇ ନେତାଙ୍କ ଠାରୁ କର୍ମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ପ୍ରଥମ ଥର ପାଇଁ ପଞ୍ଚାୟତର ଫଳାଫଳ ନୂଆ ଢାଞ୍ଚାରେ ଆସିବାକୁ ଯାଉଛି । ବ୍ଲକରେ ସେଣ୍ଟ୍ରାଲ କାଉନଟିଙ୍ଗ ବ୍ୟବସ୍ଥା କରାଯାଇଛି, ତେଣୁ ରେଜଲ୍ଟକୁ ନେଇ ଚର୍ଚ୍ଚା ବଢୁଛି ।

ନିର୍ବାଚନ ଫଳାଫଳ ତିନୋଟି ପର୍ଯ୍ୟାୟରେ ଆସିବ । ଫେବୃୟାରୀ ୨୬, ୨୭ ଓ ୨୮ରେ ଗଣତି ହେବ । ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ
– ୩୧୫ ଜିଲ୍ଲା ପରିଷଦ ଜୋନର ଫଳ ଫେବୃୟାରୀ ୨୬ରେ ଆସିବ
– ୩୦୭ ଜିଲ୍ଲା ପରିଷଦ ଜୋନର ରେଜଲ୍ଟ ଫେବୃୟାରୀ ୨୭ରେ ଜଣାପଡିବ
– ୨୨୯ ଜିଲ୍ଲା ପରିଷଦ ଜୋନ ଫଳ ଆସିବ ଫେବୃୟାରୀ ୨୮ରେ

ଅର୍ଥାତ୍ କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଗଠନ କରିବ, ତାହା ଫେବୃୟାରୀ ୨୮ରେ ହିଁ ପ୍ରାୟତଃ ସ୍ପଷ୍ଟ ହେବ । ନଜର ପକାନ୍ତୁ, ବାଲଟ ବକ୍ସ ଖୋଲିବା ଠାରୁ, ଫଳ ଘୋଷଣାର ପୂରା ପ୍ରକ୍ରିୟା ଏଥର କିଭଳି ରହିବ ।

କେମିତି ହେବ କାଉଣ୍ଟିଙ୍ଗ ?
– ସକାଳ ୮ରୁ ପ୍ରତି ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଙ୍ଗ ଆରମ୍ଭ ହେବ
– ପ୍ରଥମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଫଳ ଆସିବ
– ଏହାପରେ ଘୋଷଣା ହେବ ଜିଲ୍ଲା ପରିଷଦ ରେଜଲ୍ଟ
– କିଏ କେଉଁ ଆସନରୁ ଜିତିଲା, ବ୍ଲକ ପରିସରରେ ଘୋଷଣା କରାଯିବ

ଶୁଣିବାକୁ ଅତି ସରଳ ଲାଗୁଥିଲେ ବି ଗଣତିର ପୂରା ପ୍ରକ୍ରିୟା କିନ୍ତୁ ବେଶ ଜଟିଳ ରହିଛି ନେତାଙ୍କ ପାଇଁ । ପ୍ରତି ବ୍ଲକରେ ଥିବା ଜୋନକୁ ୩ ଦିନ ପାଇଁ ଭାଗ ଭାଗ କରି ରଖାଯାଇଛି ।

– ଜିଲ୍ଲା ପରିଷଦ ଜୋନ କ୍ରମ ଅନୁସାରେ ଗଣତି ହେବ
– ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଗଣତି ଆଗ ହେବ
– କ୍ରମ ଅନୁସାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଜୋନର ଗଣତି ହେବ
– ୧୫ଟି ବ୍ଲକରେ ରହିଛି ଗୋଟିଏ ଜିଲ୍ଲା ପରିଷଦ ଜୋନ
– ଯେଉଁଥିରେ ଦିନକରେ ଗଣତି ଶେଷ ହେବ
– ୨ଟି ଜିଲ୍ଲା ପରିଷଦ ଜୋନ୍ ଥିବା ୧୨୬ ବ୍ଲକରେ ଦୁଇ ଦିନରେ ଗଣତି ସରିବ
– ୩ଟି ଜୋନ ଥିବା ୧୧୫ ବ୍ଲକରେ ୩ ଦିନରେ ଗଣତି ସରିବ

ଯେଉଁ ବ୍ଲକରେ ୪ଟି, ୫ଟି ୬ଟି ଲେଖାଏଁ ଜୋନ୍ ଅଛି, ସେଠାରେ ଗଣତି ଅଲଗା ଉପାୟରେ ରହିବ ।

– ୪ଟି ଜୋନ ଥିବା ୫୦ଟି ବ୍ଲକ ପାଇଁ ଭିନ୍ନ ମାଧ୍ୟମ ଆପଣାଯାଇଛି
– ପ୍ରଥମ, ଦ୍ୱିିତୀୟ ଦିନରେ ଗୋଟିଏ ଲେଖା, ତୃତୀୟ ଦିନରେ ୨ଟି ଜୋନର ଗଣତି
– ୫ଟି ଜୋନ ଥିବା ୭ ବ୍ଲକରେ ପ୍ରଥମ ଦିନରେ ଗୋଟିଏ ଜୋନ ଫଳ ଆସିବ
– ଦ୍ୱିତୀୟ ଦିନରେ ୨ ଓ ତୃତୀୟ ଦିନରେ ୨ ଜୋନର ଗଣତି ହେବ
– ୬ଟି ଜୋନ ଥିବା ବ୍ଲକରେ ପ୍ରତିଦିନ ୨ଟି ଲେଖାଏଁ ଜୋନର ଫଳ ପ୍ରକାଶ ପାଇବ

ପ୍ରଥମ ଥର ପାଇଁ ବ୍ଲକ ସ୍ତରରେ ହେଉଥିବା ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।