ଓଡ଼ିଶାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ । ଉପକୂଳରୁ ପଶ୍ଚିମ ହେବ ହକିମୟ

348

କନକ ବ୍ୟୁରୋ : ୨୦୨୩ରେ ପୁଣି କମ୍ପିବ କଳିଙ୍ଗ । ଆସନ୍ତା ୨୦୨୩ ହକି ବିଶ୍ୱକପ ଓଡିଶାରେ ହେବ । ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ହକି ବିଶ୍ୱକପ ଆୟୋଜନର ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ନବୀନ ।

ତେବେ ୨୦୨୩ ବିଶ୍ୱକପର କ୍ରେଜ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ରହିବ ନାହିଁ । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡରେ ମଧ୍ୟ ଦେଖିବାକୁ ମିଳିବ ହକି ବିଶ୍ୱକପର ଝଲକ । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପର ମ୍ୟାଚ୍ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଯୋଗ ଦେଇଥିବା ବେଳେ ଓଡିଶାକୁ ସ୍ପୋଟ୍ସ କ୍ୟାପିଟାଲର ଆଖ୍ୟା ଦେଇଛନ୍ତି । ଓଡ଼ିଶାରେ ହକିକୁ ଏତେ ଭଲପାଇବା ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରିନ୍ଦର ବାତ୍ରା । ଏହାପୂର୍ବରୁ ୨୦୧୮ ହକି ବିଶ୍ୱକପ ସଫଳତାର ସହ ଆୟୋଜନ କରି ବିଶ୍ୱସ୍ତରରେ ପ୍ରଂଶସା ସାଉଁଟିଥିଲେ ରାଜ୍ୟ ସରକାର ।