ଯୋଦ୍ଧା ନା ହାରିଛି ନା ହାରିବ । ମହାମାରୀଠୁ ମହାବାତ୍ୟା, ଭୂତାଣୁଠୁ ଭୋକ । ସବୁର ସାମ୍ନା କରି ସେ ଆଜି ସତ ସିପାହୀ, ଯଦି କିଏ ପଚାରେ ଯୋଦ୍ଧା କାହାକୁ କୁହାଯାଏ ? ତାଙ୍କୁ ସେବାର ସାକ୍ଷାତ ସେବକ ହୋମଗାର୍ଡ ପ୍ରତାପଙ୍କ ସାକ୍ଷାତ କରାଇଦିଅ…

1,048

କନକ ବ୍ୟୁରୋ: ଯୋଦ୍ଧା ସବୁ ବେଳେ ଯୋଦ୍ଧା । ସେବାକୁ ସତେ ଯେମିତି ନିଜ ଗଳାର ମାଳି କରି ପିନ୍ଧିନିଅନ୍ତି ତ ଆଉ କେତେବେଳେ, ସେବାକୁ ଜୀବନର ଜଉ ଭାବି ଜିଇଁ ଥାଆନ୍ତି । ଯେତେ ଯନ୍ତ୍ରଣା, ଯେତେ ବାଧାବିଘ୍ନ ଆସିଲେ ବି ପଛକୁ ହଟନ୍ତିନି ଆଉ କର୍ତ୍ତବ୍ୟ, ନିଷ୍ଠାପରତାର କାନ୍ଥରୁ ଅତଡ଼ା ଖସିଲେ ବି ତା ସାମ୍ନାରେ ନିଜେ କାନ୍ଥ ସାଜି ଛିଡ଼ା ହୋଇଯାଆନ୍ତି । ତେବେ ରାଜଧାନୀର ପ୍ରବଳ ବର୍ଷା ଭିତରେ ଜଣେ ସେବାର ସାକ୍ଷାତ ସେବକଙ୍କ ସାକ୍ଷାତ କରାଇବୁ ଯାହାଙ୍କୁ ଦେଖିଲେ ଆପଣ ବି ସଲାମ୍ ନକରି ରହିପାରିବେନି ।

ଆଜି ଦିନ ତମାମ୍ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।  ବର୍ଷା ଯୋଗୁଁ ଲୋକେ ପ୍ରାୟତଃ ଘରେ ରହୁଛନ୍ତି । ଲୋକେ ରେନି କୋର୍ଟ ପିନ୍ଧି ବାଇକରେ ଯାତାୟତ କରୁଥିବା ବେଳେ ବାବୁମାନେ କାରରେ ଯିବା ଆସିବା  କରୁଛନ୍ତି । ହେଲେ ବର୍ଷାରେ ଭିଜି ଟ୍ରାଫିକ୍ ପୋଷ୍ଟରେ ଜଣେ ସେବାର ପୂଜାରୀ ବା କର୍ତ୍ତବ୍ୟନିଷ୍ଠ ଟ୍ରାଫିକ୍ ହୋମଗାର୍ଡ ପ୍ରତାପ ସେବା ଯୋଗାଇ ଆସୁଛନ୍ତି । ଆଉ କୁହନ୍ତି ସେଇ ଟ୍ରାଫିକ୍ ଦେଇ ଯେଉଁମାନେ ବି ଯାଆନ୍ତି ତାଙ୍କୁ ଟା..ଟା କରିଦେଲ ତାଙ୍କ ପେଟ ପୂରିଯାଏ ।

ତେବେ ହୋମଗାର୍ଡ ପ୍ରତାପ ବର୍ଷାରେ ଭିଜି ଭୁବନେଶ୍ୱର ରେଡକ୍ରସ ଛକ ଟ୍ରାଫିକ୍ ପୋଷ୍ଟରେ ବିଭିନ୍ନ ଭଙ୍ଗୀରେ ଟ୍ରାଫିକ୍ ସିଗନାଲ ଦେଇ  ଲୋକଙ୍କୁ ସଚେଚତନ କରାଉଛନ୍ତି । ଆଉ ତାଙ୍କ ଷ୍ଟାଇଲ୍ ଦେଖି ଟ୍ରାଫିକ୍ ପୋଷ୍ଟରେ ଅଟକୁ ଥିବା ଲୋକ ତାଙ୍କୁ ବେଶ ପ୍ରଶଂସା କରୁଛନ୍ତି । ଆଉ ଯିଏ ନିୟମ ଭାଙ୍ଗୁଥିବ ସେ ମଧ୍ୟ ତାଙ୍କ ନିଷ୍ଠାପରତାକୁ ଦେଖି ନିୟମ ଆଗରେ ନତମସ୍ତକ ହେବ । ସତରେ ଏଭଳି ଯୋଦ୍ଧା ଆଉ ସେବାର ପୂଜାରୀଙ୍କୁ ଶତ ଶତ ପ୍ରଣାମ କଲେ ବି କମ୍ ପଡ଼ିବ ।