ଫୁଲୁୁଛି ମହାନଦୀ : ୪ଟି ଜିଲ୍ଲାର ତଳିଆ ଅଞ୍ଚଳରେ ପଶିପାରେ ପାଣି

217

କନକ ବ୍ୟୁରୋ : ମହାନଦୀ ଫୁଲିବାରେ ଲାଗିଛି । ଗତ ରାତିରୁ ବନ୍ୟାଜଳ କଟକ ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି । ତେଣୁ ମହାନଦୀ ଓ ଏହାର ଶାଖା ନଦୀ ଯାଇଥିବା ୪ଟି ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀର ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବନ୍ୟା ଆଶଙ୍କା ଥିବା ଅଂଚଳରେ ଓଡ୍ରାଫ, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ମହାନଦୀରେ ବଡ ବନ୍ୟା ହେବାର ସମ୍ଭାବନା ନାହିଁ ।

ତେବେ ତଳିଆ ଅଂଚଳରେ ଥିବା କେନ୍ଦ୍ରାପଡାର ମହାକାଳପଡା, ଗରଦପୁର, ଡେରାବିଶ୍, ମାର୍ଶାଘାଇ ଓ କେନ୍ଦ୍ରାପଡା ବ୍ଲକର ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । କଟକର ଆଠଗଡ, ବାଙ୍କି, ସାଲେପୁର, କିଶନଗର ଓ ନିଆଳି ବ୍ଲକର ବିଭିନ୍ନ ତଳିଆ ଅଂଚଳକୁ ବନ୍ୟା ପାଣି ପଶିଯିବା ଭୟ ରହିଛି । ଜଗତସିଂହପୁରର ରଘୁନାଥପୁର, ତିର୍ତୋଲ, ଧୋୟା ଅଂଚଳକୁ ଭୟ ରହିଛି । ସେହିପରି ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, କାକଟପୁର, ନିମାପଡ଼ା ଓ ପିପିଲି ବ୍ଲକର ତଳିଆ ଅଂଚଳରେ ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ କମି ଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ କମ୍ ପାଣି ଆସୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ । ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି ।