ଭିନ୍ନକ୍ଷମ ଭତା ବଢ଼ାଇବାକୁ ତେଜିଲା ଦାବି । ଭତା ରାଶି ବୃଦ୍ଧି ପାଇଁ ବିଚାର କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ

189

କନକ ବ୍ୟୁରୋ : ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ଆଉ ୪ଲକ୍ଷ ହିତାଧିକାରୀ । ସେପଟେ ଭିନ୍ନକ୍ଷମ ଭତା ବଢ଼ାଇବାକୁ ହୋଇଛି ଦାବି । ରାଜ୍ୟରେ ଭିନ୍ନକ୍ଷମଙ୍କୁ ମିଳୁଛି ସ୍ୱଳ୍ପ ରାଶିର ଭତା । କାହାକୁ ୫୦୦ ଟଙ୍କା ମିଳୁଛି ତ କାହାକ ୭୦୦ ଟଙ୍କା । ବର୍ତମାନର ମହଙ୍ଗା ଯୁଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାସିକ ଭତାରେ ଭିନ୍ନକ୍ଷମମାନେ ଚଳିବା କଷ୍ଟକର ହୋଇପଡିଛି । ଭିନ୍ନକ୍ଷମଙ୍କ ମାସିକ ଭତା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏ ସଂକ୍ରାନ୍ତରେ ପୁନର୍ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଓଡିଶା ଆସୋସିଏସନ୍ ଫର୍ ବ୍ଲାଇଣ୍ଡ ଆସୋସିଏସନ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । ଚାକିରିରେ ଭିନ୍ନକ୍ଷମଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ରଖିବା ଓ ଭିନ୍ନକ୍ଷମଙ୍କ ଭତା ବୃଦ୍ଧି କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ଆବେଦନକାରୀ । ତେବେ ପ୍ରକୃତରେ କେମିତି ଅଛନ୍ତି ଭିନ୍ନକ୍ଷମ ଏହା ଜାଣିବା ପାଇଁ ଓଡିଶା ଆସୋସିଏସନ୍ ଫର ବ୍ଲାଇଣ୍ଡ ଅନୁଷ୍ଠାନରେ ପହଁଚିଥିଲା କନକ ନ୍ୟୁଜର କ୍ୟାମେରା ଟିମ୍ । ଦୃଷ୍ଟିବାଧିତ ଯୁବବର୍ଗଙ୍କୁ ଘର କରଣା ସାମଗ୍ରୀ ତିଆକି କରିବା ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ବ୍ରହ୍ମାନନ୍ଦ କହିଥିଲେ ସେମାନଙ୍କ କଷ୍ଟ । ଯାଜପୁରର ଜିଲ୍ଲାରେ ବ୍ରହ୍ମାନନ୍ଦଙ୍କ ଘର, ଗତ କିଛି ବର୍ଷ ହେବ ରୋଜଗାର ସନ୍ଧାନରେ ଭୁବନେଶ୍ୱର ଚାଲି ଆସିଛନ୍ତି । ଭୁବନେଶ୍ୱର ଆସିବା ଦିନରୁ ଭିନ୍ନକ୍ଷମ ଭତା ମିଳିନାହିଁ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତିକି ଟଙ୍କା ଭତା ଆକାରରେ ଦିଆଯାଉଛି ସେଥିରେ ଚଳିବା ବେଶ କଷ୍ଟକର ବୋଲି ବ୍ର୍ରହ୍ମାନନ୍ଦ କହିଛନ୍ତି । ଅନ୍ୟ ରାଜ୍ୟରେ ୩ ହଜାରରୁ ୪ ହଜାର ଟଙ୍କା ଭିନ୍ନକ୍ଷମ ଭତା ପ୍ରଦାନ କରାଯାଉଥିବାବେଳେ ଓଡିଶାରେ ବି ଏହାକୁ ଲାଗୁ କରିବାକୁ ଭିନ୍ନକ୍ଷମ ସଂଘ ଦାବି କରିଛି ।