ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ନିର୍ଦ୍ଦେଶ ଦେଲେ କୋର୍ଟ

ରଥ ନିର୍ମାଣ କାମ ତ୍ୱରାନିତ ହୋଇଥିବା ଜଣାଇଲେ ଏଜି

207

କନକ ବ୍ୟୁରୋ: ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ । ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀଙ୍କ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଣ ଦେଇଛନ୍ତି । ରଥ ନିର୍ମାଣ କାମ ଜୋରଦାର ହୋଇଥିବା ଏଜି ଜଣାଇଛନ୍ତି । ୨୨ ସୁଦ୍ଧା ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଜଣାଇଲେ ଏଜି । ଚଳିତ ବର୍ଷ ଜୁନ ୨୩ରେ ରଥଯାତ୍ରା ପଡୁଛି ।

ସେପଟେ, କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ସଂଗରୋଧରେ ରହିଛନ୍ତି । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯିବା ସହ ସେମାନଙ୍କର ରହିବା ଖାଇବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ହେଲେ ସେହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ତେବେ ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍ କରି ରଥକାମ ଆଗେଇ ଚାଲିଛି । ରଥଖଳା ଠାରୁ ୨ଶହ ମିିଟର ଯାଏଁ ନିଷେଧାଂଚଳ ଘୋଷଣା କରାଯାଇଛି । ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।