କରୋନା ସଂକଟ ସ୍ଥିତିରେ ହାଇକୋର୍ଟଙ୍କ ଆଡଭାଇଜରୀ: ୭ବର୍ଷରୁ କମ ସଜା ଥିବା ମାମଲାରେ ଗିରଫ ନକରିବାକୁ ପୋଲିସକୁ ନିର୍ଦ୍ଦେଶ

ସବୁ କୋର୍ଟ ଓ ଟ୍ରିବ୍ୟୁନାଲର କାର୍ଯ୍ୟ ଜୁନ ୧୮ ଯାଏ ସ୍ଥଗିତ: ସମସ୍ତ ଉଛେଦ କାର୍ଯ୍ୟରେ ଲାଗିଲା ରୋକ୍

281

କନକ ବ୍ୟୁରୋ: କରୋନା ଜନିତ ସଂକଟକୁ ଦୃଷ୍ଟିରେ ରଖି ଛୋଟ ଛୋଟ ମାମଲାରେ କାହାକୁ ଗିରଫ ନ କରିବା ପାଇଁ ପୋଲିସକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସଜା ୭ ବର୍ଷରୁ କମ୍, ସେମାନଙ୍କୁ ଗିରଫ ନକରିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ହେଲେ ଗିରଫ କରିପାରିବ ପୋଲିସ । ସେପଟେ ଦେଶବ୍ୟାପୀ ଚାଲିଥିବା ଲକ୍ଡାଉନ୍ ଓ ଗ୍ରୀଷ୍ମ ଅବକାଶକୁ ଦୃଷ୍ଟିରେ ରଖି ସବୁ କୋର୍ଟ ଓ ଟ୍ରିବ୍ୟୁନାଲର କାର୍ଯ୍ୟକୁ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ହାଇକୋର୍ଟ । ସେହିପରି ଯେଉଁମାନେ ଆଗୁଆ ଜାମିନ୍ ପାଇଛନ୍ତି, ଏହି ସମୟ ମଧ୍ୟରେ ଅବଧି ଶେଷ ହେଉଥିଲେ, ତାହା ୧୮ ଜୁନ୍ ପର୍ଯ୍ୟନ୍ତ ବଳବତର ରହିବ ।

ଅର୍ଥାତ୍ ଜୁନ ମାସ ୧୮ ତାରିଖ ପର୍ଯ୍ୟନ୍ତ ସେମାନେ ଅନ୍ତରୀଣ ଜାମିନର ସୁରକ୍ଷା ପାଇପାରିବେ । ପାରୋଲ୍ ଅବଧିକୁ ମଧ୍ୟ ବଢ଼ାଇ ଦିଆଯାଇଛି । ସେହିପରି ଉଚ୍ଛେଦ ଓ ଭଙ୍ଗାରୁଜା କାର୍ଯ୍ୟକୁ ଜୁନ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ କାହାର ସଂପତି ଉଚ୍ଛେଦ କିମ୍ବା କୌଣସି ନିର୍ମାଣ ଭାଙ୍ଗିବା ପାଇଁ ପଦକ୍ଷେପ ନନେବାକୁ ରାଜ୍ୟ ସରକାର, ମୁନିସପାଲିଟି, ମୁନିସପାଲ କର୍ପୋରେସନ୍ ଆଦିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଅତି ଜୁରୁରୀ ସ୍ଥିତି ଉପୁଜିଲେ କିମ୍ବା ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସରକାର ଉଚ୍ଛେଦ କାର୍ଯ୍ୟ କରିପାରିବେ । ସେପଟେ କୌଣସି ସଂପତିର ନିଲାମ ନ କରିବା ପାଇଁ ବ୍ୟାଙ୍କ ଓ ବିତୀୟ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।