ସ୍କୁଲ ଫି’ ହ୍ରାସ ନେଇ କ’ଣ କରିବେ ରାଜ୍ୟ ସରକାର ? ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । କହିଲେ ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ ।

405

କନକ ବ୍ୟୁରୋ : ସ୍କୁଲ ଫି ଛାଡ଼ ମାମଲାରେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ । ଘରୋଇ ସ୍କୁଲରେ କେତେ ପ୍ରତିଶତ ଫି ଛାଡ଼ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତି ନେବେ ରାଜ୍ୟ ସରକାର । ଗତକାଲି ଓଡ଼ିଶା ହାଇକୋର୍ଟ, ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଘରୋଇ ସ୍କୁଲଗୁଡିକ ଉପରେ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ଏବଂ ଫି’ ଛାଡ଼ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ, ଯଦି କୌଣସି ସ୍କୁଲ ଏହାକୁ ଅମାନ୍ୟ କରେ, ତେବେ ଏନଓସି ପ୍ରତ୍ୟାହାର କରିପାରିବେ ସରକାର ।

ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ । ଘରୋଇ ସ୍କୁଲକୁ ଏପରି ପରାମର୍ଶ ଦେବା ସହ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଏହି ସ୍କୁଲଗୁଡିକ ଉପରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସ୍କୁଲ ଫି’ କମାଇବାକୁ ନିର୍ଦ୍ଦେଶ ଦେଇପାରିବେ ରାଜ୍ୟ ସରକାର । ଏପରିକି ଏହାକୁ ଅମାନ୍ୟ କଲେ ସରକାର ଏନଓସି ପ୍ରତ୍ୟାହାର କରିବେ ବୋଲି ରାୟରେ କୁହାଯାଇଛି । ହାଇକୋର୍ଟଙ୍କ ଏହି ରାୟ ପରେ କେତେ ଫି’ ଛାଡ଼ କରିବାକୁ ସରକାର ନିର୍ଦ୍ଦେଶ ଦେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ଦିଆ ଯାଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିସ କରାଯାଇଥିଲା । ଏହି ସୁପାରିସ ଅନୁସାରେ,

ବାର୍ଷିକ ୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% ଛାଡ଼  
୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ
୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଫି’ ଉପରେ ୧୫% ଛାଡ଼
୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ
ବାର୍ଷିକ ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଫି’ ଉପରେ ୨୫ ପ୍ରତିଶତ
୧ ଲକ୍ଷରୁ ଅଧିକ ଫି’ ହୋଇଥିଲେ ୨୬% ଛାଡ଼ ପାଇଁ ସୁପାରିସ

ଏହା ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ଆଦାୟ କରାନଯାଇ ପ୍ରକୃତ ଖର୍ଚ୍ଚ ଅନୁଯାୟୀ ଦେୟ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ହଷ୍ଟେଲ ଫି’ ୩୦% ଛାଡ଼ କରାଯିବାକୁ ପ୍ରସ୍ତାବ ରହିଛି ।