କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ମହାମହିମ । କହିଛନ୍ତି, ବିଳମ୍ବିତ ନ୍ୟାୟ ଯୋଗୁଁ ଅନେକଙ୍କ ଜୀବନ ଜେଲରେ କଟୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ଓ ତାଙ୍କ ଟିମକୁ ଧନ୍ୟବାଦ ଦେଇ ରାଷ୍ଟ୍ରପତି କହିଛନ୍ତି, ଶୀଘ୍ର ନ୍ୟାୟ ପ୍ରଦାନ ଯୋଗୁଁ ୨ ବର୍ଷ ମଧ୍ୟରେ ବିଚାରଧୀନ ମାମଲା ଏକ ଚତୁର୍ଥାଂଶ ହ୍ରାସ ପାଇଛି ।

Advertisment

ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି ସମାଜର ବଂଚିତ ବର୍ଗ, ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସାମାଜିକ ଓ ଆର୍ôଥକ ଅନଗ୍ରସରଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦେବା ଜରୁରୀ । ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ମହାମହିମ ।

ନ୍ୟାୟିକ ପ୍ରକ୍ରିୟା ଏବେ ଆଉ ଅନେକଙ୍କ ପାଇଁ ଅବୁଝା ପାଠ ହୋଇ ରହିବ ନାହିଁ । ଏ ନେଇ ଐତିହାସିକ ପଦକ୍ଷେପ ନେଇଛି ଓଡ଼ିଶା ହାଇକୋର୍ଟ । ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଆ ଭାଷାରେ ଆସିଛି ପ୍ରଥମ ରାୟ । ବିଚାରପତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଓଡ଼ିଆ ଭାଷାରେ ରାୟ ପ୍ରକାଶ କରିଛନ୍ତି । ଖୋର୍ଦ୍ଧା ସ୍ଥିତ ଏନଜିଓ ସୌରଭ ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନ୍କୁ ଖାରଜ କରି ଦେଇଛନ୍ତି ଖଣ୍ଡପୀଠ । ମଙ୍ଗଳବାର ଦିନ ଓଡ଼ିଆ ଭାଷାରେ ୪୧ପୃଷ୍ଠାର ଏହି ରାୟ ହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତି ଅବସରକୁ ସ୍ମରଣୀୟ କରି କରିଦେଇଛି ।