କପି କରିବା ବନ୍ଦ କର… ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲ ଭିତରକୁ ଯାଇପାରିବନି ଖଣ୍ଡେ ବି କାଗଜ । ପେନ, ପେନସିଲ, ଜ୍ୟାମିତି ବାକ୍ସ ବ୍ୟତିତ ଆଉ କିଛି ନନେବାକୁ ନିର୍ଦ୍ଦେଶ

449

କନକ ବ୍ୟୁରୋ: କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ଧରାପଡ଼ିଛନ୍ତି ୫ ଜଣ ଛାତ୍ର । ଆଉ ଠିକ୍ ଏମିତି ବେଳେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମତ ଦେଇଛନ୍ତି ହାଇକୋର୍ଟ । ୨୦୧୨ ମସିହାରୁ ଚାଲିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି-ପରୀକ୍ଷା ବେଳେ କୌଣସି ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ।

ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ପ୍ରସଙ୍ଗରେ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି-

– ଆର୍ଡମିଟ୍ କାର୍ଡ, ଜ୍ୟାମିତି ବାକ୍ସ, ପେନ୍ କିମ୍ବା ପେନସିଲ ବ୍ୟତିତ ଆଉ କୌଣସି ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଇପାରିବ ନାହିଁ ।
-ପରୀକ୍ଷା କେନ୍ଦ୍ରକୁ ଖଣ୍ଡିଏ କାଗଜ ଯିବାକୁ ଗ୍ରହଣ କରାଯାଇପାରିବ ନାହିଁ
-ଜଣେ ପରୀକ୍ଷାର୍ଥୀ ଭଲ ନମ୍ବର ରଖିବା ପାଇଁ କୌଣସି ଅସଦ ବାଟ ଆପଣାଇ ପାରିବେ ନାହିଁ
-ଅସଦ ବାଟ ଆପଣାଇବା ପ୍ରକ୍ରିୟାକୁ ଦୃଢ଼ ହସ୍ତରେ ଦମନ କରାଯିବା ଆବଶ୍ୟକ
-ନଚେତ୍ ଏହା ଭଲ ପିଲାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ
-ଯେଉଁମାନେ ପରୀକ୍ଷା ପରିଚାଳନା କରୁଛନ୍ତି ସେମାନେ ପରୀକ୍ଷାକୁ ସ୍ୱଚ୍ଛତାର ସହ ଏବଂ ତ୍ରୁଟିପୂର୍ଣ୍ଣ ଭାବେ କରିବା ଆବଶ୍ୟକ
-ପରୀକ୍ଷା ହଲ କିମ୍ବା ବାହାରେ କପି କିମ୍ବା ବିଶୃଙ୍ଖଳା ରୋକିବା ପାଇଁ ଦୃଷ୍ଟି ଦେବା ଉଚିତ

୨୦୧୨ ମସିହାରେ କେନ୍ଦୁଝର ଜିଲ୍ଲାର ଛାତ୍ର ଫାଲଗୁନି ସାହୁଙ୍କ ପକେଟରୁ କପି ବାହାରି ଥିଲା । ଅବଶ୍ୟ ବିଜ୍ଞାନ ଦ୍ୱିତୀୟ ପେପର ପରୀକ୍ଷା ଦିନ, ତାଙ୍କ ପକେଟରୁ ବିଜ୍ଞାନ ପ୍ରଥମ ପେପରର ଏକ କପି ବାହାରିଥିଲା । ଏହାକୁ ନେଇ ବୋର୍ଡ ସଂପୃକ୍ତ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଂଚିତ କରିଥିଲା ।

ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯାଇଥିଲେ ସଂପୃକ୍ତ ଛାତ୍ର । ଉଚ୍ଚତମ ନ୍ୟାୟାଳୟ ବୋର୍ଡର ନିଷ୍ପତ୍ତି ବିରୋଧରେ ରାୟ ଦେଇ କହିଥିଲେ, ଛାତ୍ର ଜଣକ ପରୀକ୍ଷା ଦେଇପାରିବେ । ହେଲେ ଏହି ଆଦେଶ ବିରୋଧରେ ପୁଣି ହାଇକୋର୍ଟର ଖଣ୍ଡପୀଠରେ ଆବେଦଦ କରିଥିଲା ବୋର୍ଡ । ଯାହା ଉପରେ ଶୁଣାଣି କରି ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି-ପରୀକ୍ଷା କେନ୍ଦ୍ରକୁ ଖଣ୍ଡିଏ କାଗଜ ଯିବାକୁ ଗ୍ରହଣ କରାଯାଇପାରିବ ନାହିଁ ।