ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣ : ଦେଖିପାରିବେ ସାଧାରଣ ଲୋକ; କୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ, ଅଗଷ୍ଟ ୨ରୁ ହେବ କାର୍ଯ୍ୟକାରୀ

1,324

କନକ ବ୍ୟୁରୋ : ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ । ଶୁଣାଣିକୁ ଦେଖି ପାରିବେ ସାଧାରଣ ଲୋକ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ପ୍ରଣୟନ କରାଯାଇଛି ସ୍ୱତନ୍ତ୍ର ନିୟମାବଳୀ । ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ନୂଆ ନିୟମାବଳୀ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟଙ୍କ ସିଧାପ୍ରସାରଣ କାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବ୍ୟକ୍ତି ବା କର୍ମଚାରୀ କରିବେ । ମାମଲାର ଶୁଣାଣି ସିଧା ପ୍ରସାରଣ ସମ୍ପର୍କୀତ ୱେବ୍ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ ଜଜ୍ ଲିଷ୍ଟରେ ପ୍ରକାଶ ପାଇବ ।

ତେବେ ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧୀ, ପୋକ୍ସୋ ଆଇନ, ଜୁଭେନାଇଲ୍ ଜଷ୍ଟିସ ଆକ୍ଟ, ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ଜାତୀୟ ସୁରକ୍ଷା ସମ୍ପର୍କୀତ ମାମଲା, ହେବିୟସ କର୍ପସ ଭଳି ମାମଲାକୁ ସିଧା ପ୍ରସାରଣରୁ ବାଦ ଦିଆଯାଇଛି । ଏଥିସହ କୌଣସି ମାମଲାର ଶୁଣାଣିକୁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ ଦିଆଯିବ । ଏଥିସହ ପକ୍ଷ ଆଇନଜୀବୀ କୌଣସି ମାମଲାର ସିଧାପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରିପାରିବେ । ଯଦି କୋର୍ଟ ଅନୁରୋଧକୁ ଠିକ୍ ବୋଲି ବିଚାର କରି ଗ୍ରହଣ କରନ୍ତି, ତେବେ ସିଧାପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ଲାଇଭ୍ ଷ୍ଟ୍ରିମିଂ ଭିଡିଓର ଅନଧିକୃ୍ତ ବ୍ୟବହାର କରାଯାଇପାରିବ ନାହିଁ । ମାମଲା ଶୁଣାଣିର ସିଧାପ୍ରସାରଣ ସମୟର କୌଣସି ଟପଣୀ.ମତାମତକୁ ଅଦାଲତି ପ୍ରକ୍ରିୟାର ଅଂଶ ଭାବେ ଗ୍ରହଣ କରାଯିବ ନାହିଁ । ଖଣ୍ଡପୀଠଙ୍କ ରାୟ, ନିର୍ଦ୍ଦେଶ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସମ୍ପର୍କୀତ ସାର୍ଟିଫାଏଡ କପିକୁ କେବଳ ଗ୍ରହଣ କରାଯିବ ।