କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅଡ଼ୁଆ ବଢ଼ିଲା । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ମୁକୁଳିଥିବା ଜଗଦେବଙ୍କୁ ପୁଣି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ଏବଂ ଜେଲ ଯିବାକୁ ପଡ଼ିବ । ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ମେ’ ୨୩ ତାରିଖ ସୁଦ୍ଧା ତାଙ୍କୁ ଜେଲ ଯିବାକୁ ପଡ଼ିବ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କୋର୍ଟ କହିଛନ୍ତି, ତାଙ୍କ ଦେହ ଖରାପ ଥିଲେ, ସେ ଜେଲରେ ଥାଇ ଚିକିତ୍ସା ସୁବିଧା ନେଇପାରିବେ । କିନ୍ତୁ ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଆଉ ଜାମିନ ଦିଆଯାଇ ପାରିବ ନାହିଁ ।
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେଉଁଭଳି ଭାବେ ଅଭିଯୁକ୍ତ ଜଣକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଏବଂ ଅନେକ ଲୋକଙ୍କୁ ଆହତ କଲେ, ଏହା ଜଣେ ଜନପ୍ରତିନିଧିଙ୍କୁ ଆଦୌ ଶୋଭା ଦିଏ ନାହିଁ । ତାଙ୍କୁ ଜାମିନ ଦେଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା କୋର୍ଟ ଆଶଙ୍କା ପ୍ରକଟ କରିଛନ୍ତି । ପୌର ନିର୍ବାଚନ ପରେ ମାର୍ଚ୍ଚ ୧୨ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଏଥିରେ ସାଧାରଣ ଲୋକଙ୍କ ସହ ପୋଲିସ୍ କର୍ମୀ ବି ଆହତ ହୋଇଥିଲେ । ଏହାପରେ ତାଙ୍କୁ ମାର୍ଚ୍ଚ ୨୨ରେ ଗିରଫ କରାଯାଇଥିଲା ।
ମାର୍ଚ୍ଚ ୩୧ରେ ବାଣପୁର ଜେଏମଏଫସି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଓ ଏହାପରେ ସେ ଜେଲ ଯାଇଥିଲେ । ଏହାପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ହାଇକୋର୍ଟ ତାଙ୍କୁ ଏପ୍ରିଲ ୨୭ରେ ଅନ୍ତରୀଣ ଜାମିନ ଦେଇଥିଲେ । ଏହାପରେ ପ୍ରଥମେ ମେ ୧୧ ଓ ପରେ ମେ ୨୩ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନକୁ ବଢ଼ାଇଥିଲେ କୋର୍ଟ ।