ସ୍କୁଲ ଫି ଛାଡକୁ ନେଇ ହାଇକୋର୍ଟଙ୍କ ବଡ ରାୟ । କହିଲେ ରାଜ୍ୟ ସରକାରଙ୍କ ଅଧିନ ଘରୋଇ ସ୍କୁଲ, କମାଇ ପାରିବେ ଫି ।

2,214

କନକ ବ୍ୟୁରୋ: ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି । ହାଇକୋର୍ଟ କହିଛନ୍ତି, ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫା ଖୋର ହୋଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।  ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁ ଦେଇଥିବା ଏନଓସି ପ୍ରତ୍ୟାହାର କରିପାରିବେ । ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିଶ କରାଯାଇଥିଲା ।

ତେବେ ଏହି ସୁପାରିଶ ଅନୁସାରେ- ୬ ହଜା ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% । ୧୨ ହଜାରରୁ ୨୪ ହଜାର ପର୍ଯନ୍ତ ୧୨ ପ୍ରତିଶତ । ୨୪ ହଜାରରୁ ୪୮ ହାଜର ପର୍ଯ୍ୟନ୍ତ ୧୫%, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଏବଂ ୧ ଲକ୍ଷରୁ ଅଧିକ ଫି ହୋଇଥିଲେ ୨୬% ଛାଡ଼ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏସମ୍ପର୍କୀତ ଏମଓୟୁ ସପକ୍ଷରେ ସରକାର ମତ ରଖିଥିବା ବେଳେ କିଛି ସ୍କୁଲ ସଂଘ ଭିନ୍ନ ମତ ରଖିଥିଲେ ।  ଅଭିଭାବକ ସଂଘ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବ ବେଳେ କେତେକ ଘରୋଇ ସ୍କୁଲ ସଂଘ ଏହାକୁ ବିରୋଧ କରିଥିଲେ । ତେବେ ସରକାରଙ୍କ କର୍ତୃତ୍ୱରେ ଘରୋଇ ସ୍କୁଲ ଥିବା ହାଇକୋର୍ଟ ସ୍ପଷ୍ଟ କରିବା ପରେ ସ୍କୁଲ ଫି’ ରିହାତି ନେଇ ନିଷ୍ପତି ନେଇପାରିବେ ରାଜ୍ୟ ସରକାର ।