କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ସମୁଦ୍ର ପତନଠାରୁ ୭ ଦଶମିକ ୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ।

Advertisment

ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ଗଞ୍ଜାମ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ଦେବଗଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ହେତୁ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ ।  ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ୍‌ଜନିତ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଯାଇଛି । ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ପାଗ ମେଘୁଆ ସହ ବର୍ଷା ଜାରି ରହିଛି । ପାଣିପାଗ ବିଶେଷଜ୍ଞ  କହିଛନ୍ତି, ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ବିସ୍ତୃତ ଭାରି ବର୍ଷା ହେବାର ସମ୍ଭାବନା କମ୍‌ ।

ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା ହେବା ବେଳେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ମଧ୍ୟମ ଧରଣର ଓ ସ୍ଥାନେ ସ୍ଥାନେ ପ୍ରାୟତଃ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ବିସ୍ତୃତ ଅତିପ୍ରବଳ ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ । ହୁଏତ, ୨୩ ଓ ୨୫ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ ।