ଲଗାଣ ବର୍ଷାରେ ବୁଡିଲା କୋଣାର୍କ ସୂର୍ଯ୍ୟମନ୍ଦିର । ସେପଟେ ପାରାଦୀପ ଓ ଅସ୍ତରଙ୍ଗର ଅନେକ ଅଚଂଳ ଜଳମଗ୍ନ । କଟକରେ ବି ପ୍ରବଳ ବର୍ଷା ଜାରି

49

କନକ ବ୍ୟୁରୋ : ବର୍ଷା ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ । ଆପଣ ଦେଖୁଛନ୍ତି ସେହି ଦୃଶ୍ୟ କିପରି ସୂର୍ଯ୍ୟ ମନ୍ଦିର ପରିସରରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ସୁ ସୁ ହୋଇ ପାଣି ପଶିବାରେ ଲାଗିଛି । ବର୍ଷା ଯୋଗୁଁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏବେ ବି ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଜଳ ଘେରରେ ପାରାଦୀପ ଉପକଣ୍ଠ ନୂଆଗଡ ପଂଚାୟତ ଓ ପାରଦୀପ ଗଡ ପଂଚାୟତ । ନୂଆଗଡ ପଂଚାୟତର ମୂଷାଢ଼ିଆ ଗ୍ରାମରେ ଲୋକଙ୍କ ଘରେ ପାଣି ପଶିଯାଇଛି । କେତେକ ସ୍ଥାନରେ ମାଟି ଘର ଭୁଶୁଡିପଡିଛି । ରାସ୍ତାରେ ଆଣ୍ଠୁଏଉଚ୍ଚର ପାଣି ପାଣି ଚାଲିଛି । ଜଳାଶୟ ଭ୍ରମ ସୃଷ୍ଟି କରିଛି ଗାଁ ରାସ୍ତା । ୩ଦିନ ପୂର୍ବରୁ ହୋଇଥିବା ସ୍ଥିତିର ଏଥର ଦୁଇଗୁଣା ପରିସ୍ଥିତି ସୃଷ୍ଟି ହୋଇଛି ।

 

ସେପଟେ ଏପଟେ ୨୮ ଘଂଟା ଧରି ଅସ୍ତରଙ୍ଗ କାକଟପୁରରେ ଲଗାଣ ବର୍ଷା ଲାଗି ରହିଛି । କେତେବେଳେ ଝିପିଝିପି ତ ଆଉ କେତେବେଳେ ବର୍ଷା ଛେଚୁଛି । ତାସାଙ୍ଗକୁ ପବନ ମଧ୍ୟ ଲାଗି ରହିଛି । ଗତକାଲି ରାତି ୧୦ଟାଠାରୁ ବର୍ଷା ବଢ଼ିଛି । ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ କାହାଳ ଉପସ୍ୱାସ୍ଥ୍ୟକେନ୍ଦ୍ରର ନବନିର୍ମିତ ପାଚେରୀ ଭୁଶୁଡିପଡିଛି । ସମୁଦ୍ର ଅଶାନ୍ତ ହୋଇ ଉଠିଛି । ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।

 

ଲୋକମାନେ ଘରୁ ବାହାରି ପାରୁ ନାହାଁନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛ । ସେପଟେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ କଟକ ସହର । ଗତ ୨୪ ଘଂଟା ମଧ୍ୟରେ ସହରରେ ୧୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

 

କଟକ ସହରର ବାଦାମବାଡି, ତୁଳସୀପୁର, ମେରିଆବଜାର, ପଟ୍ଟାପୋଲ ସମେତ ଆଉ କେତେକ ସ୍ଥାନରେ ବର୍ଷା ପାଣି ଜମିଛି । ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଛି । ଏହା ସହିତ ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଛି । ଏହା ସହିତ ବର୍ଷା ଲାଗି ରହିଛି । ଆହୁରି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତେଣୁ ଏହା ସହରବାସୀଙ୍କ ଚିନ୍ତାକୁ ଦ୍ୱି ଗୁଣିତ କରିଛି । ପରିସ୍ଥିତିକୁ ଆଖି ଆଗରେ ରଖି କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।