ଗାଡି ଜବତ ପ୍ରସଙ୍ଗରେ ନିର୍ଦ୍ଦେଶର ସ୍ପଷ୍ଟୀକରଣ ଦେଲେ ହାଇକୋର୍ଟ । ଲକଡାଉନ ବେଳେ କାହା ପାଇଁ କୋହଳ ହେଲା କଟକଣା ? ବଜାରକୁ କିଏ କିଏ ନେଇ ପାରିବେ ଗାଡ଼ି ପଢ଼ନ୍ତୁ..

2,417

କନକ ବ୍ୟୁରୋ: ପୁଲିସ ଦ୍ୱାରା ଜୋରଦାର ଗାଡି ଜବତ ପ୍ରସଙ୍ଗରେ ଗତକାଲି ଯେଉଁ କଡା ଆଭିମୁଖ୍ୟ ଦେଖାଇଥିଲେ ଓଡିଶା ହାଇକୋର୍ଟ, ଆଜି ତାକୁ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ନିଜ ରାୟ ସଂପର୍କରେ ସ୍ପଷ୍ଠୀକରଣ ଦେଇ କୋର୍ଟ କହିଛନ୍ତି କି, ଲକଡାଉନ ବେଳେ କେବେଳ କଟକଣାରୁ ବୟସ୍କ ଓ ଦିବ୍ୟାଙ୍ଗ ବାଦ ପଡିବେ । ଏଥିସହ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ବାଇକ୍ ନେଇ କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ । ଏଥିଲାଗି ସେମାନଙ୍କୁ ପରିଚୟ ପତ୍ର କିମ୍ବା ଅନୁମତି ପତ୍ର ଦେଖାଇବାକୁ ପଡ଼ିବ।

ତେବେ ଗତକାଲି ଆବେଦନକାରୀ ଆଇନଜୀବୀ ବିଜୟ ରଗଡଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି କୋର୍ଟ କହିଥିଲେ, ଜବତ ହୋଇଥିବା ଗାଡି ଗୁଡିକୁ ଅଣ୍ଡରଟେକିଂ ଲେଖି ଫେରାଇଦିଆଯିବ । ହେଲେ ବିଏମସି ଓ ସିଏମସି ପକ୍ଷରୁ କୋର୍ଟରେ ତଥ୍ୟ ରଖାଯାଇଛି । ସରକାରଙ୍କ ପକ୍ଷରୁ ଉଭୟ ବିଏମସି ଓ ସିଏମସି କୋର୍ଟଙ୍କୁ ଜଣାଇଛନ୍ତି, ଲକଡାଉନ ସମୟରେ ପାଦଚଲା ଦୂରତାରେ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ ।

ଗତକାଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସଂଶୋଧନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ଓ ସରକାରୀ ଓକିଲ ଆବେଦନ କରିଥିଲେ । ଏହି ଆବେଦନରେ ଦର୍ଶାଯାଇଥିଲା କି ଭୁବନେଶ୍ବର ମହାନଗର ନିଗମ ଓ କଟକ ମହାନଗର ନିଗମ ପକ୍ଷରୁ ଭୁବନେଶ୍ବର ଓ କଟକରେ ଅଧିକାଂଶ ସ୍ଥାନରେ ପାଦଚଲା ଦୂରତା ମଧ୍ୟରେ ଅସ୍ଥାୟୀ ବଜାର ବସାଯାଇଛି । ତେଣୁ ସମସ୍ତଙ୍କୁ ଦୁଇଚକିଆ ଯାନ ବ୍ୟବହାରର ଅନୁମତି ଲୋଡ଼ାନାହିଁ । ଏହା ସାମାଜିକ ଦୂରତାକୁ ଭଙ୍ଗ କରୁଛି । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଏହି କୋହଳ ଦିଆଯାଉ। ଏହାର ଶୁଣାଣି କରି ଆଜି ହାଇକୋର୍ଟ ଏହି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ।