ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା: ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ; ବାଲେଶ୍ୱରରେ ବି ଆଜିଠୁ ଆରମ୍ଭ ହେବ ସ୍ୱତନ୍ତ୍ର ହସ୍ପିଟାଲ

କରୋନା ଆକ୍ରାନ୍ତଙ୍କୁ ମାଗଣାରେ ମଳିବ ସମସ୍ତ ସୁବିଧା

452

କନକ ବ୍ୟୁରୋ: ଆଜି କୋରାପୁଟ ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଏହି ମେଡ଼ିକାଲକୁ ଜୟପୁର ସହର ପୁରୁଣା ମେଡ଼ିକାଲରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ ହେବା ପରେ ଏଠି କେବଳ ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟ କରୁଥିଲା । ମେଡିକାଲର ଅନ୍ୟ ଅଂଶ ଗୁଡିକ ଭୁତ କୋଠି ହୋଇ ପଡି ରହିଥିଲା । ତେଣୁ ଏହାକୁ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସେହିପରି କରୋନା ଲଢ଼େଇ ପାଇଁ ବାଲେଶ୍ୱରରେ ମଧ୍ୟ ଆଜିଠୁ କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ । ବାଲେଶ୍ୱରର କୋରଡା ସ୍ଥିତ ଜ୍ୟୋତି ହସ୍ପିଟାଲରେ ଏହି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ୧୨୦ ଶଯ୍ୟା ସହିତ ୧୨ ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି । ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ସହଯୋଗରେ ଏହି କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ଏବଂ ଏହି ହସ୍ପିଟାଲ ଦ୍ୱାରା ପରିଚାଳନା କରାଯିବ । ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ପାଇଁ ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଝାରସୁଗୁଡ଼ା ଜିଲ୍ଲାପ୍ରଶାସନ ପକ୍ଷରୁ ପୁରୁଣା ହସ୍ପିଟାଲକୁ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଭାବରେ ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନିଆଯାଇଛି । ଅନେକ ଦିନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏହି ହସ୍ପିଟାଲର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଗାମୀ ସପ୍ତାହ ସୁଦ୍ଧା ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ତିଆରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହସ୍ପିଟାଲ ୫୦ରୁ ୧୦୦ ଶର୍ଯ୍ୟାର ବ୍ୟବସ୍ଥା କରାଯିବ ଏବଂ ୨୦ ଜଣ ଡ଼ାକ୍ତର ସ୍ୱାସ୍ଥ୍ୟସେବା ଯୋଗାଇଦେବେ ବୋଲି କୁହାଯାଇଛି ।