ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି : ଓଡିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ; କେନ୍ଦ୍ର ପ୍ରଦୂଷିତ ବୋର୍ଡ ପକ୍ଷରୁ ରିପୋର୍ଟ ପ୍ରକାଶ

231

କନକ ବ୍ୟୁରୋ : ଓଡିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦେଶର ଯେଉଁ ୧୧୨ଟି ସ୍ଥାନ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ସର୍ବାଧିକ ୨୩ଟି ସ୍ଥାନ ଓଡିଶାରେ ରହିଥିବା ଜଣାପଡିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ନିକଟରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି । ଏହି ସବୁ ପ୍ରଦୂଷିତ ସ୍ଥଳ ଗୁଡିକ ବିଷାକ୍ତ ଓ ବିପଜ୍ଜନକ ବସ୍ତୁମାନଙ୍କ ଦ୍ୱାରା ପ୍ରଦୂଷିତ ହୋଇସାରିଛି । ସେଥିମଧ୍ୟରୁ ସର୍ବାଧିକ ୨୩ଟି ପ୍ରଦୂଷିତ ସ୍ଥଳ ଓଡ଼ିଶାରେ ରହିଛି । ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳ ତାଲିକାରେ ମୟୂରଭଂଜ ଜିଲ୍ଲାର ସର୍ବାଧିକ ୭ଟି ରହିଥିବା ବେଳେ ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ସମ୍ବଲପୁର ଓ ଗଂଜାମ ଜିଲ୍ଲାରେ ୩ଟି ଲେଖାଏଁ ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରଦୂଷିତ ସ୍ଥଳ ରହିଛି ।

ଗତବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଗ୍ରୀନ ଟ୍ରାବ୍ୟୁନାଲ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରଦୂଷିତ ସ୍ଥାନମାନଙ୍କର ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳରୁ ୩ଟି ସ୍ଥଳରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ସିପିସିବିର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ପ୍ରଥମ ଶୀର୍ଷରେ ଥିବା ବେଳେ ଉତର ପ୍ରଦେଶ ଦ୍ୱିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଉତରପ୍ରଦେଶରେ ୨୧ଟି ପ୍ରଦୂଷିତ ସ୍ଥଳ ଥିବା ବେଳେ ଦିଲ୍ଲୀରେ ୧୧ଟି ସ୍ଥଳ ରହିଛି ।