୧୦ ଲକ୍ଷ ଟପିଲା ଓଡ଼ିଶାର କରୋନା ଟେଷ୍ଟ୍ । ପରୀକ୍ଷା ତୁଳନାରେ କମୁଛି ସଂକ୍ରମଣ ହାର, ସେପଟେ ଦେଶରେ ସୁସ୍ଥ ହେଲେ ୭୩ ପ୍ରତିଶତ ଆକ୍ରାନ୍ତ, ୧ଦଶମିକ ୯୪କୁ ଖସିଲା ମୃତ୍ୟୁ ହାର ।

233

କନକ ବ୍ୟୁରୋ: କରୋନାକୁ ନେଇ ଏକ ଭଲ ଖବର ହେଉଛି, ସଂକ୍ରମଣ ସଂଖ୍ୟା ବଢୁଥିଲେ ମଧ୍ୟ ସଂକ୍ରମଣ ହାର କିନ୍ତୁ କମୁଥିବା ଲକ୍ଷ୍ୟ କରାଯାଉଛି । ଆଜି ଓଡିଶା ୧୦ ଲକ୍ଷ କରୋନା ପରୀକ୍ଷାର ମାଇଲ ଖୁଂଟ ଅତିକ୍ରମ କରିଛି । ଏହି ମହାମାରୀର ମୁକାବିଲା ପାଇଁ ପରୀକ୍ଷା ହିଁ ସବୁଠାରୁ ବଡ ମାଧ୍ୟମ । ଗତ ୨୪ ଘଂଟାରେ ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯାଇଥିବା ବେଳେ ୨୨ ଶହ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୪ ଶହ ୧୬ ଜଣ ଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାଏ ୪୩ ହଜାର ୭୭୯ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ହଜାର ୩୩୯ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସେପଟେ ଦେଶରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ ପ୍ରତିଶତ କରୋନା ଆକ୍ରାନ୍ତ । ଏହାସହ ମୃତ୍ୟୁହାର କମୁଛି । ସାରା ଦେଶରେ ମୃତ୍ୟୁହାର ୧ ଦଶମିକ ୯୪କୁ ଖସି ଆସିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦିନକୁ ୫୫ ହଜାର ଆକ୍ରାନ୍ତ ସୁସ୍ଥ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଗତ ୨୪ ଘଂଟାରେ ଦେଶରେ ଗୋଟିଏ ଦିନରେ ପ୍ରାୟ ୯ ଲକ୍ଷ କରୋନା ପରୀକ୍ଷା ହୋଇଛି । ଏବଂ ୫୫ ହଜାର ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।